ସ୍ଲରି ପାଇପ ଲାଇନ କାମ ବନ୍ଦ କଲା ବନ ବିଭାଗ
କେନ୍ଦୁଝର : କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ ଏନ୍ଏଚ୍-୨୦ କଡ଼ରେ ନରଣପୁର ସଂରକ୍ଷିତ ଜଙ୍ଗଲରେ ସ୍ଲରି ପାଇପ ଲାଇନ ବିଛାଯାଉଥିବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି । ବହୁ ପରିମାଣରେ ଶାଳ ଅନ୍ୟାନ୍ୟ କିସମର ଗଛ କଟାଯାଉଛି । ମେଶିନରେ ଗଛ ଓପାଡ଼ି ମାଟିରେ ପୋତି ଦିଆଯାଇଥିବା ବେଳେ ଅନେକ ଗଛ ଅସୁରକ୍ଷିତ ଅବସ୍ଥାରେ ରହିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ରବିବାର ପାଇପ୍ ବିଛା କାମ ବନ୍ଦ କରିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ବଡ଼ବିଲଠାରୁ ପାରାଦୀପକୁ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସ୍ଲରି ପାଇପ ବିଛାଇବା କାମ ଚାଲିଛି । ପାଇପ ରାସ୍ତାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ବିଛାଇବାକୁ ଅନୁମତି ମିଳିଛି । ଏଥିପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିବା ପରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ଗଛକଟା ସରିବା ପରେ ପାଇପ ବିଛା କାମ ଆରମ୍ଭ ହୋଇଥିଲା । ତେବେ ସ୍ଲରିପାଇପ ଲାଇନ ବିଛାଇବା ସମୟରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଠିକାସଂସ୍ଥା ବହୁ ପୁରାତନ ଶାଳ ଏବଂ ଅନ୍ୟାନ୍ୟ ଗଛ ମୂଳରୁ ଉପାଡ଼ି ପୋତିଦେଉଛି । ନରଣପୁର ସଂରକ୍ଷିତ ଜଙ୍ଗଲ ଘଂଚ ହୋଇଥିବାରୁ ଏଠାରେ ବର୍ଷତମାମ ହାତୀ ଚଳପ୍ରଚଳ ରହିଥାଏ । ଉକ୍ତ ଅଂଚଳରେ ରାସ୍ତା ପାର ହୋଇ ହାତୀ ଯାତାୟାତ କରିଥାନ୍ତି । ଏଣୁ ଉକ୍ତ ସ୍ଥାନରେ ବନ ବିଭାଗ ପକ୍ଷରୁ ସତର୍କତା ଫଳକ ଲଗାଯିବା ସହ ନିରୀକ୍ଷଣ କରିବାକୁ କ୍ୟାବିନ୍ ନିର୍ମାଣ କରାଯାଇଛି । ଜଙ୍ଗଲ ନଷ୍ଟ ହେବା ଦ୍ୱାରା ହାତୀ ଚଲାପଥ କ୍ଷତିଗ୍ରସ୍ତ ହେବା ସହ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏ ସମ୍ପର୍କରେ ସଦର ରେଞ୍ଜର ବିଜୟ ମହାନ୍ତ କହିଛନ୍ତି, ଖବର ପାଇବା ପରେ ଫରେଷ୍ଟରଙ୍କୁ ପଠାଇ କାମ ବନ୍ଦ କରାଯାଇଛି । କାମ କରୁଥିବା ସଂସ୍ଥାକୁ ଡକାଯାଇଛି । କୌଣସି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଆବଶ୍ୟକ ଜାଗା ଚିହ୍ନଟ କରାଯିବା ସହ କଟାଯିବାକୁ ଥିବା ଗଛ ଗଣନା କରାଯାଇ କଟାଯାଇଥିଲା । କେତେକ ଛୋଟ ଛୋଟ ଗଛକୁ ସୁରକ୍ଷିତ ଭାବେ ଉଠାଇ ନେଇ ଅନ୍ୟତ୍ର ଲଗାଯାଇଥିଲା । ଏବେ ବିନା ଅନୁମତିରେ କିଭଳି ଗଛ କଟାଯାଇ ମାଟି ତଳେ ଚପାଇ ଦେବାକୁ ଉଦ୍ୟମ କରାଯାଇଛି । ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ପରିବେଶବିତ୍ ପ୍ରଦୀପ ମହାନ୍ତି କହିଛନ୍ତି ।
