ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସହିଦ ଯବାନଙ୍କ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ
ଆନନ୍ଦପୁର : ନକ୍ସଲଙ୍କ ସହ ଲଢେଇରେ ସହିଦ ହୋଇଥିବା ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ଜନ୍ମମାଟି ଆନନ୍ଦପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି। ମାଟିର ସନ୍ତାନଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଲୋକେ । ସହିଦ ଯବାନଙ୍କ ମରଶରୀର ଆଜି ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏକ ବିଶାଳ ଶୋଭାଯାତ୍ରାରେ ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା ମରଶରୀର। ସେଠାରେ ଆରପିଏଫ ପକ୍ଷରୁ ତୋପ ସଲାମୀ ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଗତକାଲି ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳି ବିନିମୟରେ ପ୍ରାଣ ହରାଇଥିଲେ ସୁଶାନ୍ତ। ୨୦୧୧ ମସିହାରେ ସେ ସିଆରପିଏଫରେ ଯୋଗ ଦେଇଥିଲେ। ମାତ୍ର ଦୁଇମାସ ତଳେ ସେ ବିବାହ କରିଥିଲେ। ତାଙ୍କ ବାପା ଓ ଭାଇଙ୍କର ବି ପରଲୋକ ହୋଇଯାଇଛି।
