ବାଲେଶ୍ୱରରେ ‘ଶିଶୁମାନଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଜିଲାସ୍ତରୀୟ “ଶିଶୁମାନଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲାପାଳ ଶ୍ରୀ ଭବେଶ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଶିଶୁମାନଙ୍କ ଅଧିକାର ଏବଂ ତାହାର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜିଲାର କୌଣସି ପିଲା ଯେପରି ସେମାନଙ୍କ ଅଧିକାରରୁ ବଂଚିତ ନ ହେବେ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇପାରିବେ ସେ ଦିଗରେ ସମସ୍ତ ସରକାରୀ ଅଧିକାରୀ ଉଚିତ୍ ଧ୍ୟାନ ଦେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିିଲେ । ଏଥି ସହିତ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଏବଂ ବାଲ୍ୟ ବିବାହ ଉପରେ କିଭଳି ରୋକ୍ ଲଗାଯାଇପାରିବ ଏବଂ ଶିଶୁମାନେ ନିଜର ପ୍ରତିଭାର ବିକାଶ ପାଇଁ ଉପଯୁକ୍ତ ପରିବେଶ ପାଇପାରିବେ ସେ ସମ୍ପର୍କରେ ଅତିଥିମାନେ ଗୃହରେ ବିସ୍ତୃତ ଆଲୋଚନା କରିଥିଲେ ।
ନିୟମିତ ବ୍ୟବଧାନରେ ପ୍ରତି ତିନି ମାସ ସମୟସୀମାର ଅନ୍ତିମ ମାସ ୨୦ତାରିଖ ଦିନ ଜିଲାସ୍ତରୀୟ ଶିଶୁ ସୁରକ୍ଷା କମିଟି ତଥା ତ୍ରୈମାସିକ ଜିଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଆୟୋଜନ ସହ ଶିଶୁମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତି ହୋଇଥିବା ବେଳେ ଏହି କ୍ରମରେ ପରବର୍ତୀ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୨୦ତାରିଖ ଦିନ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଅବସରରେ ଆଶୀର୍ବାଦ ଯୋଜନା ଏବଂ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଶିଶୁମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଆଶୀର୍ବାଦ ଯୋଜନାରେ ଜିଲାର ୪୨୬ଜଣ ଶିଶୁଙ୍କୁ ସାମିଲ କରିବା ନିମନ୍ତେ ଜିଲା ଚୟନ କମିଟି ସ୍ୱୀକୃତି ପ୍ରଦାନ କରିଥିଲେ । ପୂର୍ବରୁ ଜିଲାର ୧୨୪ଜଣ ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଆଜିର ସଂଖ୍ୟାକୁ ମିଶାଇ ମୋଟ ୫୫୦ଜଣ ଶିଶୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସୂଚନା ମିଳିଛି । କୋଭିଡ୍ ମହାମାରୀ ସମୟରେ ଉଭୟ ମାଆ ଓ ବାପା କିମ୍ବା କେବଳ ବାପାଙ୍କୁ ହରାଇଥିବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥି ସହିତ ଏହି ଶିଶୁମାନେ ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିନିମନ୍ତେ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା । ମୁକ୍ତ ଶିକ୍ଷା ପ୍ରଦାନ ସହିତ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଯେପରି ସେମାନେ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀ ଏବଂ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦନ ହୋଇପାରିବ ତାହାର ତଦାରଖ କରିବା ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବେ ଜିଲାର ବିଭିନ୍ ବ୍ଲକ ଏବଂ ପଂଚାୟତସ୍ତରରେ ମଧ୍ୟ ‘ଶିଶୁମାନଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି ।
