ଦୁଃଖଦ ଘଟଣା : ଖରାପ ରାସ୍ତାରେ ଫସିଲା ଆମ୍ବୁଲାନ୍ସ, ନାବାଳିକା ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କର ମଙ୍ଗଳବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଘଟଣାକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରେଳ ବିଭାଗର ବେପରୁଆ କାର୍ଯ୍ୟ ପାଇଁ ରାସ୍ତା ଖରାପ ହୋଇଥିବାରୁ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ôଚ ପାରିନଥିଲା । ଯାହାଫଳରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ ।
ସୂଚନା ଯେ, ବ୍ରାହ୍ମଣଦା ଗ୍ରାମର କାହ୍ନା ପରିଡ଼ାର ଝିଅ ସୁମିତ୍ରା ପରିଡ଼ା (୧୩) ବର୍ଷ ପୋଖରୀ ପାଖରେ ଥିବା ଏକ ଫୁଲଗଛରୁ ଫୁଲ ତୋଳୁଥିବା ସମୟରେ ପୋଖରୀ ଭିତରକୁ ଗୋଡ଼ ଖସି ଯାଇଥିଲା । ଫଳରେ ସେ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ବୁଡ଼ି ଯାଉଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ ପାଣିରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଆସୁଥିବା ବେଳେ ରାସ୍ତା ଖରାପ ଯୋଗୁଁ ରାସ୍ତାରେ ଫସିଯାଇଥିଲା । ଆମ୍ବୁଲାନ୍ସ ପହଞ୍ôଚବା ବିଳମ୍ବ ହେବାରୁ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ପିଲାଟିକୁ ଏକ ବାଇକ୍ ଯୋଗେ ବସ୍ତା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହୋଇଥିବାରୁ ସୁମିତ୍ରାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ । ଉତ୍ତ୍ୟକ୍ତ ଲୋକେ ବସ୍ତା-ବ୍ରାହ୍ମଣଦା ରାସ୍ତାରେ ରାସ୍ତାରୋକ କରି ତୁରନ୍ତ ମରାମତି ଦାବି କରିଥିଲେ । ଷ୍ଟେସନ ନିକଟରେ କାର୍ଯ୍ୟ କରୁଥିବା ଠିକାଦାର ତୁରନ୍ତ ଉକ୍ତ ରାସ୍ତା ମରାମତି କରିବେ ବୋଲି ରେଳବିଭାଗ ତରଫରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
