ସେପ୍ଟେମ୍ବରରେ ଆସିବ ଏକକ-ଡୋଜ୍ ଟିକା ସ୍ପୁଟନିକ୍ ଲାଇଟ୍
ନୂଆଦିଲ୍ଲୀ : ଦେଶକୁ ମିଳିବ ଆଉ ଏକ ଟିକା । ମହାମାରୀ କରୋନାକୁ ପ୍ରତିହତ ପାଇଁ ଭାରତରେ ବ୍ୟାପକ ଟିକାକରଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଭାରତରେ ତିଆରି ହେଉଥିବା ରୁଷୀୟ ସ୍ପୁଟ୍ନିକ୍ ଲାଇଟ୍ ଟିକା ଆସନ୍ତା ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି । ଏହି ଟିକା ହେଉଛି ଏକ ଡୋଜ୍-ବିଶିଷ୍ଟ। ପାନାସିଆ ବାୟୋଟେକ୍ ଏହି ଟିକାର ଜରୁରି ବ୍ୟବହାର ପାଇଁ ଅନୁମୋଦନ ଦେବା ନିମନ୍ତେ ଭାରତର ଔଷଧ ନିୟାମକ ଡିଜିସିଆଇକୁ ଆବେଦନ କରିଛି।
ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହି ଟିକା ଅଳ୍ପ ସଂଖ୍ୟାରେ ଉପଲବ୍ଧ ହେବ। ଏହାର ଦାମ୍ ୭୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି। ପାନାସିଆ ବାୟୋଟେକ୍ ରୁଷିଆର ସ୍ପୁଟ୍ନିକ୍ ଭି ଟିକା ଭାରତରେ ଲଞ୍ଚ୍ କରିବା ପାଇଁ ରସିଆନ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍ଡିଆଇଏଫ୍)ର ଅଂଶୀଦାର ହୋଇଛି। ବର୍ଷକୁ ୧୦୦ ନିୟୁତ ଡୋଜ୍ ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଏକକ-ଡୋଜ୍ ଟିକା ୯୭.୬ ପ୍ରତିଶତ ସଫଳ ବୋଲି ପୂର୍ବରୁ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା।
