ଖରିଫ ଧାନର ଅଭାବି ବିକ୍ରି- ଜଳେଶ୍ୱର- ଚନ୍ଦନେଶ୍ୱର ରାସ୍ତାରେ କୃଷକ ସଭା ପକ୍ଷରୁ ରାସ୍ତା ଅବରୋଧ
ଜଳେଶ୍ୱର : ସରକାରୀ ଘୋଷଣାର ୧୦ ଦିନ ବିତିଥିଲେ ମଧ୍ୟ ସମସ୍ତ ସରକାରୀ ମଣ୍ଡି ଖୋଲାଯାଇନଥିବାରୁ ଚାଷୀମାନେ ଡହଳବିକଳ ହୋଇ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଅଖିଳ ଭାରତ କୃଷକ ସଭାର ଜଳେଶ୍ୱର କମିଟି ପକ୍ଷରୁ ଜଳେଶ୍ୱର, ଚନ୍ଦନେଶ୍ୱର ରାସ୍ତାରେ ଡେମୁରିଆଠାରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ଧାନ ଅମଳର ୧ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଚାଷୀମାନେ ପ୍ରତି ପ୍ୟାକ୍ସ (ସମବାୟ ସମିତିରେ ଧାନ ବିକ୍ରି କରି ପାରୁ ନାହାନ୍ତି । କେତେକ କେନ୍ଦ୍ର ଖୋଲାଯାଇ ପାରିନଥିବା ବେଳେ ସମସ୍ତ ଚାଷୀଙ୍କୁ ପଂଜିକରଣ କରାଯାଇପାରିନାହିଁ । ପଂଜିକରଣ ଚାଷୀଙ୍କ ମଧ୍ୟରୁ ବହୁ ଚାଷୀ ଟୋକନ ପାଇ ନାହାନ୍ତି । ଟୋକନ ଦେବା ଓ ଚାଷୀଙ୍କୁ ସନ୍ତୋଷ ଜନକ ଉତ୍ତର ଦେବାଲାଗି ସମବାୟ ସମିତିର ଦାୟିତ୍ୱ ହୋଇଥିବା ବେଳେ ତାହା ନ ପାଇ ଚାଷୀ ହଇରାଣ ହରକତ ହେଉଛନ୍ତି । ଟୋକନ ଅବଧିର ୨୮ ଦିନ ପରିବର୍ତ୍ତେ ଧାନକିଣା ଶେଷ ପର୍ଯ୍ୟନ୍ତ ସମୟ ଅବଧି ବଢାଇବାକୁ ଚାଷୀ କମିଟିରେ ସ୍ଥିର କରାଯାଇଛି । ଚାଷୀ ତାର ଖର୍ଚ୍ଚର ଭରଣା ଓ ଋଣ ପରିଶୋଧ ଲାଗି କ୍ୟୁଣ୍ଟାଲ ପ୍ରତି ୧୩୦୦/୧୪୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ନିତିଗତ ଭାବେ ଧାନକ୍ରୟ ବେଳେ ମିଲର ଓ ସମବାୟ ସମିତିର ମଧୁଚନ୍ଦ୍ରିକା ଯୋଗୁଁ ଏବେବି ଧାନର କଟନୀ ଛଟନୀ ଚାଲିଛି । କର୍ପୋରେଟ ସଂସ୍ଥା ମାନଙ୍କୁ ୧୦ଲକ୍ଷ କୋଟି ଟଙ୍କା ଛାଡ ହୋଇଥିବା ବେଳେ କୃଷି ଋଣ ଛାଡପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଦୁଃଖର ବିଷୟ ବୋଲି ଆଜି ଆୟୋଜିତ ସଭାରେ ମତପ୍ରକାଶ ପାଇଛି । ଚାଷ ତାର ଫସଲର ନାର୍ଯ୍ୟ ମୂଲ୍ୟ ପାଇପାରୁନଥିବାରୁ ଅନ୍ୟ ରାଜ୍ୟକୁ ଦାଦନ କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ବୋଲି କହିଥିଲେ । ୫୭ ରାଜ୍ୟ ରାଜପଥର ଡେମୁରିଆଠାରେ (ଇକଡା ସମବାୟ ସମ୍ମୁଖରେ) ଆଜି ଏଥିନେଇ ଅଖିଳ ଭାରତ ସଭା ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଆୟୋଜିତ ସଭାରେ ଦିଲ୍ଲିପ ଶତପଥି ଅଧ୍ୟକ୍ଷତା କରିଥିଲେ । ଏଥିରେ ଦିଲ୍ଲିପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଜୀବନ ପରିଡା, ଗୋପାଳକୃଷ୍ଣ ଜେନା, ପଲ୍ଟୁ ଦାସ, ଭାଗବତ ପ୍ରଧାନ, ବିଶ୍ୱନାଥ ଦଳେଇ, ସେକ ଅବଦୁଲ ସାଦ୍ଦିକ, ନିରୋଜ ବେହେରା, ଚନ୍ଦନ ଶତପଥି, ଗଣେଶ ଭୂୟାଁ, ବଂଶି ବାରିକ, ମମି ପଣ୍ଡା, ଅଜୟ ପଲେଇ, ଜଗନ୍ନାଥ ପରିଡା, ବିଭୁଭୂଷଣ ଦାସ, ରାଜିବ ପଣ୍ଡା, ସୁଶାନ୍ତ କାମିଳା, ଅନନ୍ତ ମୁଖି, ନିଳକଣ୍ଠ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭା ଶେଷ ପୂର୍ବରୁ ସେଠାରେ ବିଡିଓ ପୁନମ ରାଉତ ଓ ଆଇଆଇସି ରୋଜାଲିନ୍ ବେହେରା ପହଞ୍ଚି ଆଲୋଚନରେ ଅଂଶ ଗ୍ରହଣ କରି ଦାବିପତ୍ର ଗ୍ରହଣ କରିଥିଲେ ।
