ବିଦ୍ୟୁତ୍ ବିଭାଗ ବିଲ୍ରେ ଗୁରୁତର ତ୍ରୁଟି, ୧୦୦ ଟଙ୍କା ବଦଳରେ ଆସୁଛି ୧୦ ହଜାର ଟଙ୍କାର ବିଲ- ଅଭିଯୋଗ
କେନ୍ଦ୍ରାପଡ଼ା : ବିଦ୍ୟୁତ୍ ବିଭାଗର ତ୍ରୁଟିପୂର୍ଣ୍ଣ ବିଲ୍କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଉପଭୋକ୍ତାଙ୍କର ମାସିକ ବିଲ ୭୦ ରୁ ୧୦୦ ଟଙ୍କା ଆସିବା ପରିବର୍ତେ ୧୦ ହଜାର ଟଙ୍କା ବିଲ ଆସୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ହିନ୍ଦୁଳିଆ ଖସାଡି ଗ୍ରାମର ବାଂଛାନିଧି ଜେନାଙ୍କ ପତ୍ନୀ ସ୍ୱର୍ଣ୍ଣଲତା ଜେନା କଞ୍ଜୁମର ନମ୍ବର ୦୨୫୫୯୦୪୭, ସେକସନ୍- ୩ ର ଉପଭୋକ୍ତା ଅଟନ୍ତି । ତାଙ୍କର ୨୦୨୦ ଅକ୍ଟୋବର ମାସ ପୂର୍ବରୁ ମାସିକ ବିଲ୍ ୭୦ ରୁ ୧୦୦ ଟଙ୍କା ମଧ୍ୟରେ ଆସୁଥିଲା । କିନ୍ତୁ ୨୦୨୦ ଅକ୍ଟୋବର ଠାରୁ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ମାସିକ ୧୦ ହଜାର ବିଲ୍ ଆସିବାରୁ ସେ ଏ ବିଷୟରେ ବିଦ୍ୟୁତ୍ ବିଭାଗର ଜେଇ, ଏସଡିଓ, ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗର ଅଧିକାରୀମାନେ ଏହା ଆମେ ଠିକ କରିଦେବୁ କହି ଏପର୍ଯ୍ୟନ୍ତ ଠିକ କଲେ ନାହିଁ । ଦିନେ କିଛି କର୍ମଚାରୀ ସ୍ୱର୍ଣ୍ଣଲତାଙ୍କ ଘରେ ପହଁଚି ୧ ଲକ୍ଷ ୧୦ ହଜାର ଟଙ୍କା ପୈଠ ନକଲେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି କହି ୫ ହଜାର ଟଙ୍କା ତାଙ୍କ ପାଖରୁ ଆଣିଲେ । ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ବିଦ୍ୟୁତ୍ ବିଲ ସଂଶୋଧନ ନକରିବାରୁ ସେ ବାଧ୍ୟ ହୋଇ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିବା ଜଣାପଡିଛି ।
