ଉଗାଣ୍ଡାରେ ସିରିଏଲ ବିସ୍ଫୋରଣ : ୨ ମୃତ, ଖେଳାଳି ସୁରକ୍ଷିତ
କାମ୍ପଲା : ସିରିଏଲ ବିସ୍ଫୋରଣରେ କମ୍ପି ଉଠିଛି ଆଫ୍ରିକୀୟ ଦେଶ ଉଗାଣ୍ଡା। ଦେଶର ରାଜଧାନୀ କାମ୍ପାଲା ଠାରେ ଅବସ୍ଥିତ ସଂସଦ ଭବନ ନିକଟରେ ହୋଇଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ। ଏହି ବିସ୍ଫୋରଣରେ ଭାରତୀୟ ଦଳର କୌଣସି କ୍ଷୟକ୍ଷତି ହୋଇନାହିଁ।
ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୧ ପ୍ରତିଯୋଗୀତାରେ ଭାଗ ନେବାକୁ ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ କିଛି ଦିନ ପୂର୍ବରୁ ଉଗାଣ୍ଡା ଅଭିମୁଖେ ଯାତ୍ରା କରିଥିଲା। ଏହି ଦଳରେ ଟୋକିଓ ପାରାଲିମ୍ପିକ୍ସ ୨୦୨୧ ମୁକାବିଲାରେ ପଦକ ବିଜେତା ପ୍ରମୋଦ ଭଗତ, ମନୋଜ ସରକାର ଏବଂ ଅନ୍ୟ ଖେଳାଳି ଅନ୍ତର୍ଭୁକ୍ତ ଅଛତି। ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଏହି ବିସ୍ଫୋରଣ ମଧ୍ୟରୁ ଗୋଟିଏ ପୋଲିସ ଷ୍ଟେସନ ନିକଟରେ ଏବଂ ଅନ୍ୟଟି ସଂସଦ ଭବନ ନିକଟସ୍ଥ ରାସ୍ତା କଡ଼ରେ ହୋଇଥିଲା। ସଂସଦ ନିକଟରେ ହୋଇଥିବା ବିସ୍ଫୋରଣ ବୋଧହୁଏ କୌଣସି ଏକ ଘରକୁ ଟାର୍ଗେଟ କରି କରାଯାଇଥିଲା ଯେଉଁଠି ଏକ ବୀମା କମ୍ପାନୀ କାର୍ଯ୍ୟାଳୟ ରହିଛି। ବିସ୍ଫୋରଣ କାରଣରୁ ଘଟଣାସ୍ଥଳରେ ଅଟକି ରହିଥିବା ଗାଡିରେ ନିଆଁ ଲାଗିଯାଇଥିଲା। ଜାତୀୟ ପ୍ରସାରକ ୟୁବିସି ଅନୁଯାୟୀ କିଛି ସାଂସଦ ନିକଟସ୍ଥ ସଂସଦ ଗୃହ ଖାଲି କରୁଥିବା ଦେଖାଯାଇଥିଲା। ଅନ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପ୍ରତ୍ୟକ୍ଷଦର୍ଶୀ ଦ୍ୱାରା ଅନଲାଇନ ମାଧ୍ୟମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ଦେଖାଯାଇଛି ଯେଉଁଠି ପୋଲିସ ଷ୍ଟେସନ ନିକଟରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ଏ ଘଟଣାରେ ପୋଲିସ କୌଣସି ବୟାନ ଦେଇନାହିଁ। ବିସ୍ଫୋରଣ ଏକ ବୋମା କିମ୍ବା ଅନ୍ୟ କୌଣସି ଉପାୟରେ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ଲଗାତାର ବୋମା ବିସ୍ଫୋରଣ ପରେ ଉଗାଣ୍ଡା ଅଧିକାରୀ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଗତ ଅକ୍ଟୋବର ୨୩ ତାରିଖରେ ରାଜଧାନୀ କାମ୍ପାଲାସ୍ଥିତ ଏକ ରେସ୍ତୁରାଁ ଠାରେ ହୋଇଥିବା ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ। ସେହିପରି ପୋଲିସ କହିବା ଅନୁସାରେ ୨୩ ଅକ୍ଟୋବରେ ହୋଇଥିବା ବିସ୍ଫୋରଣର ୨ ଦିନ ପରେ ଏକ ଯାତ୍ରୀବାହୀ ବସ୍ରେ ହୋଇଥିବା ବିସ୍ଫୋରଣରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରାଣ ହରାଇଥିଲା। ରେସ୍ତୋରାଁ ଉପରେ ହୋଇଥିବା ଆକ୍ରମଣ ପାଇଁ କେନ୍ଦ୍ରୀୟ ଆଫ୍ରିକା ଠାରେ ସକ୍ରିୟ ଇସଲାମିକ୍ ଷ୍ଟେଟ୍ ଗ୍ରୁପ୍ ଗୋଷ୍ଠୀର ସହଯୋଗୀ ଆଲିଏଡ୍ ଡେମୋକ୍ରାଟିକ୍ ଫୋର୍ସସ୍ ନିଜକୁ ଦାୟୀ କରିଥିଲା।
