ବରିଷ୍ଠ କଂଗ୍ରେସ ନେତା ବାଇଧର ଘଡ଼େଇଙ୍କର ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ପଞ୍ଚାୟତ ଅଧୀନ ଓରଡ଼ା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ବାଇଧର ଘଡ଼େଇ (୭୮)ଙ୍କର ଶନିବାର ସକାଳେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇ ଯାଇଛି । ସେ ଗତ ୭ଦିନ ଧରି ବ୍ରେନ ଷ୍ଟ୍ରୋକ ଜନିତ ରୋଗରେ ପିଡ଼ିତ ଥାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁଅ ଏବଂ ଝିଅ ଉପସ୍ଥିତ ଥିଲେ । ସ୍ୱର୍ଗତ ଘଡ଼େଇ କୋହ୍ଲ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଭାବେ ସକ୍ରିୟ ଭାବେ କାର୍ଯ କରି ଦଳକୁ ସୁଦୁଢ଼ କରିଥିଲେ । ବାବା ଆମ୍ବେଦକର ଦଳିତ ମହାସଂଘର ରାଜ୍ୟ ସଭାପତି ସମେତ ସ୍ଥାନୀୟ ମେଳନ କମିଟିର ସଭାପତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି କାର୍ଯ୍ୟ କରୁଥିଲେ । ସେ ଜଣେ ଅଧ୍ୟାତ୍ମକବାଦୀ, ଶାନ୍ତ, ସରଳ, ଅମାୟିକ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖରବ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମରଶରୀର କଟକରୁ ଜନ୍ମସ୍ଥାନ ଓରଡ଼ା ଗ୍ରାମକୁ ଆସିବା ପରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଅଶୋକ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଗଣେଶ ମଳିକ, ପଞ୍ଚାୟତ ସଭାପତି କରୁଣାକର ମହାରଣା, କଂଗ୍ରେସ ନେତା ମୀନକେତନ ସେନାପତି, ସୁରେନ୍ଦ୍ର ସାହୁ, ଗୋରାବାବୁ ସାହା, ଗଗନ ମହାନ୍ତି, ରମେଶ ସାହୁ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ନେତା ସେଠାରେ ପହଞ୍ôଚ ମର ଶରୀରରେ କଂଗ୍ରେସ ପତାକା ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କୋହ୍ଲ ପଞ୍ଚାୟତର ସରପଞ୍ଚ କୈଳାସ ପରିଡ଼ା, ସମିତିସଭ୍ୟଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ତିହିଡ଼ି ମେଳନ କମିଟିର ସଭାପତି ବାପୁଜୀ ନାୟକ ଓ ସମ୍ପାଦକ ଶଚିକାନ୍ତ ନାୟକ, ଉପସଭାପତି ପ୍ରଭାତ ରାଉଳ ଏବଂ କମିଟିର ସଦସ୍ୟମାନେ ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି । ଜ୍ୟେଷ୍ଠ ପୁତ୍ର ହେମନ୍ତ ଘଡ଼େଇ ମୁଖାଗ୍ନି ଦେଇଥିଲେ ।
