ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ, ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ପାଉଁଶକୁଲି ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ରବିବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ନରହରି ନାୟକଙ୍କ ସ୍ତ୍ରୀ ମଞ୍ଜୁଲତା (୫୭) । ତାଙ୍କ ଘର ବାଡ଼ିରୁ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୩) ରୁଜୁ କରିଛି ।
ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ତହସିଲଦାର କାର୍ତ୍ତିକ କୁମାର ଦାସ, ଆଇଆଇସି ବାରିଣୀ ଦାସ ଓ ପୋଲିସଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ନିକଟରେ ପଡ଼ିଥିବା ଏକ ଲାଇଟର ଓ ବ୍ୟାରେଲକୁ ପୋଲିସ ଜବତ କରିଥିଲେ । ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହକୁ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି ।
