ବ୍ରାଉନସୁଗାର ଜବତ, ୪ଗିରଫ
ଖୋର୍ଦ୍ଧା : ଟାଉନ ଥାନା ପୋଲିସ ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅଂଚଳର ସୁଷମା ମଲ୍ଲିକ(୩୬), ଶିବ ମଲ୍ଲିକ(୪୨), ଜୟପ୍ରକାଶ ମଲ୍ଲିକ(୨୧) ଓ ରଣପୁର ଥାନା ଅଂଚଳର ପ୍ରତାପ କୁମାର ମହାପାତ୍ର(୩୩) । ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ସୂଚନା ମୁତାବକ ଗତକାଲି ଏକ ଯାତ୍ରୀବାହି ଅଟୋରେ ବ୍ରାଉନ ସୁଗାର ଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।ତେବେ ତୋଟାପଡ଼ା ଛକ ନିକଟରୁ ଉକ୍ତ ଅଟୋକୁ ପୋଲିସ ଜବତ କରିଥିଲା । ଅଟୋ ମଧ୍ୟରୁ ୫୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ ଜଣାପଡିଛି ।ଏନେଇ ଟାଉନ ଥାନା ପୋଲିସ ଏନଡ଼ିପିଏସ ଆଇନ ଧାରା ୨୧(ଗ)/୨୯ ଅନୁଯାୟୀ କେସ ନମ୍ବର ୮୬ /୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
