ରଙ୍ଗେଇଲୁଣ୍ଡାରେ ରାଜ୍ୟର ଦ୍ବିତୀୟ ବିହନ ପରୀକ୍ଷାଗାର ଉଦଘାଟିତ
ବ୍ରହ୍ମପୁର: ଏଣିକି ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଆଉ ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ। ଗଞ୍ଜାମ ଜିଲାର ଚାଷୀମାନେ ନିଜ ଜିଲାରେ ବିହନ ପରୀକ୍ଷା କରାଇପାରିବେ। ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ରାଜ୍ୟର ଦ୍ବିତୀୟ ବିହନ ପରୀକ୍ଷାଗାରକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି।
ଦକ୍ଷିଣାଞ୍ଚଳ ଜିଲାର ଚାଷୀମାନଙ୍କ ସକାଶେ ଏହା ଏକ ଖୁସି ଖବର। ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ବିହନ ପରୀକ୍ଷାଗାର ସ୍ଥାପିତ ହୋଇଥିବା ବେଳେ ଏହାକୁ ଦ୍ଵିତୀୟ ପରୀକ୍ଷାଗାର ଭାବେ ଲୋକାର୍ପିତ କରାଯାଇଛି। ଏହି ପରୀକ୍ଷାଗାରରେ ଦକ୍ଷିଣାଞ୍ଚଳର ୧୦ ଗୋଟି ଜିଲାରୁ ୪୦ ପ୍ରକାରର ବିହନ କିସମ ପରୀକ୍ଷା କରାଯିବ। ବିହନର ଶୁଦ୍ଧତା, ଆଦ୍ରତା, ଗଜାଶକ୍ତି, ଅନ୍ୟାନ୍ୟ ଶସ୍ୟ କିସମ, ବିହନ ସ୍ୱାସ୍ଥ୍ୟ, ପୋକ ଦ୍ୱାରା କ୍ଷୟକ୍ଷତି ଇତ୍ୟାଦି ପରୀକ୍ଷା କରାଯିବ।
ଉଦଘାଟନ ଅବସରରେ ଜିଲ୍ଲାପାଳ ଏଠାରେ ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗର ପରୀକ୍ଷଣ ସକାଶେ ଉଦ୍ଧିଷ୍ଟ ଇଏଲ୍ଆଇସା ରିଡର୍ ଯନ୍ତ୍ର ସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ। ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଉପ-ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ମୁଖ୍ୟ ଜିଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ସମେତ କୃଷି ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
