ଦ୍ଵିତୀୟ ଦିନିକିଆ : ବ୍ୟାଟିଂ ପରେ ବୋଲିଂରେ କମାଲ, ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ ଜିତିଲା ଭାରତ
ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତର ବାଜିମାତ । ଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ଦ୍ଵିତୀୟ ମ୍ୟାଚ୍କୁ ୯୯ ରନରେ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୦ରେ କବଜା କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରେୟସ ଆୟରଙ୍କ ୧୦୫, ଶୁଭମନ ଗିଲ୍ଙ୍କ ୧୦୪ ସହ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ୭୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା। ତେବେ ଦ୍ଵିତୀୟ ଇନିଂସରେ ବର୍ଷା ହେବାରୁ ଡିଏଲଏସ ନିୟମ ଅନୁଯାୟୀ ୩୩ ଓଭରରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୧୭ ରନର ବିଜୟ ଲକ୍ଷ୍ୟ ଥିଲା। ଜବାବରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୨୮.୨ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଡେଭିଡ୍ ଓ୍ଵାର୍ଣ୍ଣର ୫୩ ରନ କରିଥିବା ବେଳେ ସିନ ଏବଟ୍ ୫୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଏବଂ ରବୀନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଶେଷ ଦିନିକିଆ ସେପ୍ଟେମ୍ବର ୨୭ ତାରିଖ ଖେଳାଯିବ।
ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ରେ ୧୯ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍ ସଂଗ୍ରହ କରି ପାଭଲିଅନ୍ ଫେରି ଆସିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ମୋଟ୍ ୯୦ଟି ବଲ୍ ଖେଳି ୧୦୫ ରନ୍ କରି ପାଭଲିଅନ ଫେରି ଆସିଥିଲେ। ଶୁବମନ ଗିଲ୍ ୯୭ଟି ବଲ୍ ଖେଳି ୧୦୪ ରନ୍ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୨ ରନ୍ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍ ଖେଳି ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୯ଟି ବଲ୍ ଖେଳିଥିଲେ। ସେ ଗୋଟିଏ ଚୌକା ସହାୟତାରେ ୧୩ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୩୮ଟି ବଲ୍ ସାମ୍ନା କରିଥିଲେ। ସେ ୩ଟି ଚୌକା ଓ ୩ଟି ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଈଶାନ କିଶନ ୧୮ଟି ବଲ୍ରୁ ୩୧ ରନ୍ କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।
