ଶ୍ରାବଣ ଦ୍ୱିତୀୟ ସୋମବାର; ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ନୀଳଗିରି : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ପରିପ୍ରେକ୍ଷୀରେ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଜଳାଭିଷେକ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କାଉଡ଼ିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା… ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶୈବ ପୀଠ ।

ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର କାଉଡ଼ିଆମାନେ ବଡ଼ ଉତ୍ସାହର ସହ ବିଭିନ୍ନ ନଦୀରୁ ରୀତି ନୀତି ଅନୁଯାୟୀ ପୁଜାର୍ଚ୍ଚନା କରି ଜଳ ଆଣି ଚାଲି ଚାଲି ଆସିବା ସହ ୨୬୩ଟି ପାହାଚ ଚଢ଼ି ଲାଇନରେ ଆସି ରବିବାର ରାତ୍ରୀ ୧୨ଟା ପର ଠାରୁ ମହାଦେବଙ୍କୁ ଜଳାଭିଷେକ କରିଥିଲେ । ନୂଆକରି ଆସିଥିବା କିଛି କାଉଡିଆ ଏଠାକାର ରମଣୀୟ ପ୍ରାକୃତିକ ପରିବେଶ ସହ ଚିରସ୍ରୋତା ଝରଣାର କୁଳୁକୁଳୁ ନାଦ ଓ ନୀର ଶଯ୍ୟାରେ ବିଜେ ମହାଦେବଙ୍କୁ ଦେଖି ବିଭୋର ହୋଇଥିଲେ । ପ୍ରଥମ ପାଳି ଅପେକ୍ଷା ଦ୍ୱିତୀୟ ପାଳିରେ ଅଧିକ ଜନ ସମାଙ୍ଗମକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

