ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ, ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ
ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ୱାମୀ । ମୃତକ ମହିଳା ହେଲେ ଲିଲି ଦଣ୍ଡପାଟ । ଏହି ଘଟଣାରେ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନା ଯେ, ଚାଲନ୍ତି ଗାଁରେ ଅର୍ଜୁନ ଦଣ୍ଡପାଟ ଓ ଲିଲି ଦଣ୍ଡପାଟଙ୍କ ମଧ୍ୟରେ ମଙ୍ଗଳବାର ରାତିରେ କୌଣସି ଏକ କଥାକୁ ନେଇ କଳହ ଲାଗିଥିଲା । ଦେଖୁ ଦେଖୁ କଳହ ଉଗ୍ର ରୂପ ନେଇଥିଲା । ସ୍ୱାମୀ ଅର୍ଜୁନ ଦଣ୍ଡପାଟ ଏକ କଟୁରୀରେ ସ୍ତ୍ରୀ ଲିଲିଙ୍କ ମୁଣ୍ଡ ଏବଂ ବେକକୁ ଆଘାତ କରିଥିଲେ । ଏଥିରେ ଲିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ୧୦ ବର୍ଷର ବଡ଼ ଝିଅ ଜାଣି ତୁରନ୍ତ ପରିବାର ଲୋକ ତଥା ପଡ଼ୋଶୀଙ୍କୁ ଜଣାଇଥିଲା । ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସ୍ୱାମୀ ଅର୍ଜୁନକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏନେଇ ବାପ ଘରଲୋକ ନ୍ୟାୟ ଦାବି କରିଛନ୍ତି ।
