ଜଳେଶ୍ୱର ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ
ଜଳେଶ୍ୱର : ଜଳେଶ୍ୱର ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ୨ୟ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ବିଧାନ ସଭା ଭଳି ପଞ୍ଚାୟତ ସମିତିରେ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଉଥିବାରୁ ସାମଗ୍ରୀକ ଭାବରେ ଅଂଚଳିତ ସମସ୍ୟା ସଂପର୍କରେ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ଯୋଗ ଦେଇ ପଶ୍ଚିମବଂଗର ଉଦ୍ବୃତ ବର୍ଷାପାଣି ସମସ୍ୟାର ସମାଧାନ ଲାଗି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି କହିଥିଲେ । ଏଥିରେ ବିଡିଓ ପୁନମ୍ ରାଉତ, ତହସିଲଦାର ସ୍ମୃତିରଂଜନ ମଲ୍ଲିକ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଉପାଧ୍ୟକ୍ଷା ସଂଜିତା ସେନାପତି, ଏବିଡିଓ ଦିବ୍ୟସିଂହ କହଁର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସେମାନଙ୍କ ବ୍ୟତିତ କୃଷି ବିଭାଗକୁ ଗୁରୁତ୍ୱ ଦେଇ ନିର୍ବାଚିତ ପ୍ରତିନିଧିମାନେ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଚାହିଁଥିଲେ । ସରଗରମ ଆଲୋଚନାରେ ଗୋଷ୍ଠି କୃଷି ଅଧିକାରୀ ସଂଜୟ ରାଉତ ଗତ ସୁବର୍ଣ୍ଣରେଖା ବନ୍ୟାରେ ୧୨୪୦ ହେକ୍ଟର ଜମିର ଧାନ ଓ ୧୭୫ ହେକ୍ଟର ଜମିର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାର ପ୍ରକାଶ କରିଥିଲେ ମଧ୍ୟ ସରପଂଚ ଓ ସମିତି ସଦସ୍ୟମାନେ ଏଥିସହିତ ଏକମତ ହୋଇନଥିଲେ । ଏହା ବ୍ୟତିତ ପ୍ରତି ପଂଚାୟତରେ ଥିବା ସାର ଓ କୀନନାସକ ଔଷଧର ତାଲିକ ନିର୍ବାଚିତ ପ୍ରତିନିଧିଙ୍କୁ ଜଣାଇ ଦେବକାୁ ବୈଠକରେ ସ୍ଥିତ ହୋଇଥିଲା । ସେହିପରି ଶିକ୍ଷା ବିଭାଗରେ ଆଲୋଚନା ବେଳେ ଲେଭେଲ ୩ ପ୍ରଧାନ ଶିକ୍ଷକ ୮ଜଣ ଲେଭେଲ ୪ ପ୍ରଧାନ ଶିକ୍ଷକ ୬ଟି ପଦବି ଖାଲିଥିବା ବେଳେ ଛାତ୍ର ସଂଖ୍ୟାକୁ ଲକ୍ଷ୍ୟ କରି ୫୦ଜଣ ଶିକ୍ଷକ ଅତିଶୀଘ୍ର ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା । ଏହା ବ୍ୟତିତ ପାନୀୟ ଜଳ , ଜଳସେଚନ ବିଷୟରେ ଆଲୋଚନା ହୋଇଥିବା ବେଳେ ଆବସ ଯୋଜନାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଥିଲା ।
