ବାରବାଟୀ ମହୋତ୍ସବରେ ଶିଳ୍ପୀ କେଶୁଦାସଙ୍କ ଜଉଚିତ୍ରକୁ ପ୍ରଶଂସା
କଟକ : କଟକ ବାରବାଟୀ ଦୁର୍ଗ ସମ୍ମୁଖ ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ରୁ ୧୮ ପର୍ଯ୍ୟନ୍ତ କଳା, ସାହିତ୍ୟ, ନୃତ୍ୟ, ଚଳଚ୍ଚିତ୍ରର ଏକ ସାତ ଦିନିଆ ୨୨ତମ ବାରବାଟୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, କବି, ଗବେଷକମାନଙ୍କର ସାହିତ୍ୟ ଚର୍ଚ୍ଚା ହୋଇଥିବା ବେଳେ ବିଶିଷ୍ଠ ନୃତ୍ୟଶିଳ୍ପୀ ମାନଙ୍କର ନୃତ୍ୟ କର୍ମଶାଳା ଓ ପରିବେଷଣ କରିଥିଲେ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରର ୬୦ରୁ ଊର୍ଦ୍ଧ୍ଵ ଚିତ୍ରଶିଳ୍ପୀମାନଙ୍କର ସୁନ୍ଦର ଓ ଶିକ୍ଷଣୀୟ ଶିଳ୍ପୀଙ୍କର ଚିତ୍ର ପ୍ରଦର୍ଶନୀ ହୋଇଥିଲେ ବେଳେ ୨୧ ଜଣ ଶିଳ୍ପୀମାନେ ତିନି ଦିନିଆ ଚିତ୍ର କର୍ମଶାଳାରେ ଅଂଶଗ୍ରହଣ କରି ବିଭିନ୍ନ ମାଧ୍ୟମରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥିଲେ । ଶାନ୍ତିନିକେତନର ଶିଳ୍ପୀମାନେ ହେଣ୍ଡମେଡ ପେପର, ନ୍ୟାଚୁରାଲ ଡାୟ, ପ୍ରିଣ୍ଟ ମେକିଙ୍ଗ ଓ ସେରାମିକ୍ସ ଭଳି ଉପାଦେୟ କଳାର ପ୍ରଶିକ୍ଷଣ ଓ ପ୍ରଦର୍ଶନୀ କରି କଳାପ୍ରେମୀଙ୍କୁ ଆକୃଷ୍ଟ କରି ପାରିଥିବା ବେଳେ ଶିଳ୍ପୀ କେଶୁଦାସଙ୍କ ଦ୍ଵାରା କେନଭସରେ ଅଙ୍କିତ ଭାରତୀୟ ଜଉଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଭାରତୀୟ ଜଉକୁ ନେଇ କେନଭାସ ଉପରେ ଜଉକୁ ଗରମ ଓ ଥଣ୍ଡା କରି ନୂତନ କୌଶଳ ଓ ଶୈଳୀରେ ଚିତ୍ର ଆଙ୍କିବା ଭାରତରେ ବିରଳ । ଭିଏତନାମର ଜଉଚିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଭାରତୀୟ ଜଉଚିତ୍ରର ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଶିଳ୍ପୀ ଦାସଙ୍କ ନୀଳରକ୍ତ କଙ୍କଡା ସୁରକ୍ଷା ଆଧାରିତ ଜଉଚିତ୍ରଟିକୁ ବାରବାଟୀ ମହୋତ୍ସବ କମିଟିର ସଭାପତି ବିଶିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା, ସମ୍ପାଦକ ବ୍ରଜକିଶୋର ମହାନ୍ତି ସହ ସମସ୍ତ କର୍ମକର୍ତ୍ତା, ଚିତ୍ରକଳା ଶିବିରର ମୁଖ୍ୟ ଆୟୋଜକ ଶିଳ୍ପୀ ରବିନାରାୟଣ ରଥ, ଶିଳ୍ପୀ ପ୍ରଣବ ଅଖଣ୍ଡ, ସମ୍ମାନିତ ଅତିଥି ଶିଳ୍ପୀ ରାମହରି ଜେନା, ଡ ପ୍ରଭାସ କୁମାର ଆଚାର୍ଯ୍ୟ, ଚଳଚ୍ଚିତ୍ର ପ୍ରଯୋଜକ ବସନ୍ତ ସାହୁ, ଅମିୟ ମହାପାତ୍ର, ଆଦିତ୍ୟ ପ୍ରସାଦ ଧଳ, ଡା ଦୀନବନ୍ଧୁ ସାହୁ, ଜ୍ଞାନେଶ ମିଶ୍ର, ସ୍ମିତା ମୁଳାଆ, ନୃତ୍ୟଗୁରୁ ଆଶିଷ ଦାସ, ବୃନ୍ଦାବନ ମହାରଣା ପ୍ରମୁଖ ଭୂୟଶୀ ପ୍ରଶଂସା କରିବା ସହ ଭାରତୀୟ ଜଉଚିତ୍ର କଳାର ଦିଗନ୍ତବ୍ୟାପି ଭବିଷ୍ୟତ କାମନା କରିଥିଲେ । ଶିବିର ଉଦଯାପନୀ ସନ୍ଧ୍ୟାରେ ଶିଳ୍ପୀ ଶ୍ରୀ ଦାସ ସହ ସମସ୍ତ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
