ଦେବର୍ଷି ଶିକ୍ଷା ନିକେତନରେ ବିଜ୍ଞାନ ମେଳା
ବାଲେଶ୍ୱର : ସହରର ଅନ୍ୟତମ ପବ୍ଲିକ୍ ସ୍କୁଲ ଖପରାପଦା ସ୍ଥିତ ‘ଦେବର୍ଷି ଶିକ୍ଷା ନିକେତନ’ରେ ସପ୍ତଦଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । କୁନି କୁନି ବୈଜ୍ଞାନିକମାନଙ୍କ ପ୍ରକଳ୍ପ ବୁଲି ଦେଖିବା ସହ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଭାଗବତ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଆଜିମାବାଦ କ୍ଲଷ୍ଟର ସିଆରସିସି ସଙ୍ଗୀତା ରଥ, ଅବସରପ୍ରାପ୍ତ ଉପାଧ୍ୟକ୍ଷ ରାଜେନ୍ଦ୍ର କିଶୋର ରାୟ, ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ନାୟକ, ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ଦୈନନ୍ଦିନୀ ଜୀବନରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ବିଜୟିନୀ ଘଡ଼ାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀରେ ମୋଟ ୬୦ ଗୋଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା ।ଏଥିରେ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନକାରୀ ଓ ଶ୍ରେଷ୍ଠ କୁଇଜ୍ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।
