ମହାରାଷ୍ଟ୍ରରେ ଖୋଲିଲା ସ୍କୁଲ, ବିଦ୍ୟାଳୟରେ ପାଠ ପଢିଲେ ଛାତ୍ରଛାତ୍ରୀ
ମୁମ୍ବାଇ : ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମହାରାଷ୍ଟ୍ରରେ ଆଜିଠାରୁ ସ୍କୁଲଗୁଡ଼ିକ ଖୋଲିଛି। ସୋମବାର ଠାରୁ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଅଫ୍ଲାଇନ୍ କ୍ଲାସ ପୁଣି ଥରେ ଆରମ୍ଭ ହୋଇଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ ଗୁଡ଼ିକ ବନ୍ଦ ରଖାଯାଇଥିଲା।
ମନ୍ତ୍ରୀ ବର୍ଷା ଏକନାଥ ଗାଏକୱାର୍ଡ କହିଛନ୍ତି ଯେ, ରାଜ୍ୟର ଯେଉଁ ଅଞ୍ଚଳରେ କମ୍ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ଅଛନ୍ତି, ସେହି ସ୍ଥାନ ଗୁଡ଼ିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲାଯାଇପାରିବ। ତେବେ ସଂକ୍ରମଣ ମୁକାବିଲା ପାଇଁ ସ୍କୁଲ ଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଅନୁସାରେ ସହଯୋଗ କରିବାକୁ କୁହାଯାଇଛି। ସୂଚନା ଯେ, କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ମହାରାଷ୍ଟ୍ରରେ ଜାନୁଆରୀ ୧ ତାରିଖ ଠାରୁ ୩୧ ଯାଏଁ ସ୍କୁଲ ଗୁଡ଼ିକ ବନ୍ଦ ରଖାଯାଇଥିଲା। ଏବେ କିନ୍ତୁ ସଂକ୍ରମଣ ହ୍ରାସ ପାଇଲା ପରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୁନେ ଓ ଔରଙ୍ଗାବାଦରେ ପୂର୍ବଭଳି ଅନ୍ଲାଇନ୍ କ୍ଲାସ ଦ୍ବାରା ପାଠ ପଢ଼ାଯିବ। ଏହି ୨ ଜିଲାରେ ସଂକ୍ରମଣ ନିମ୍ନଗାମୀ ହୋଇନାହିଁ।
