୨୨ରେ ଏସସିବି ମେଡିକାଲ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ
କଟକ : ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ଆଜି ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୨ରେ ଏସସିବି ମେଡିକାଲ କର୍ମଚାରୀ ସଂଘର ନିର୍ବାଚନ କରାଯିବ ବୋଲି ଘୋଷଣା କରାଯାଇଛି । କିଛି ଅସନ୍ତୁଷ୍ଟ କର୍ମଚାରୀ ଏକତ୍ର ହୋଇ ରାଜ୍ୟ ସଂଘ ବିରୋଧରେ ଯାଇ ତଥା ରାଜ୍ୟ ସଂଘର ପୂର୍ବତନ ଉପଦେଷ୍ଟାଙ୍କ ସହଯୋଗରେ ଭୁବନେଶ୍ୱରର ଜୟଦେବ ଭବନଠାରେ ସଂଗଠନ ନିୟମାବଳୀ ନ ମାନି ବେନିୟମ ଭାବେ ଗତ ଶନିବାର ଦିନ କରିଥିଲେ । ଏ ବିଷୟରେ ରାଜ୍ୟ ସଂଘ ଅବଗତ ହେବା ପରେ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଥିଲା । ଏସ୍ସିବି ମେଡ଼ିକାଲ କର୍ମଚାରୀ ସଂଘ (ଶାଖା)ର ନିର୍ବାଚନ ସମୟସୀମା ପୂରଣ ହୋଇଯାଇଥିବାରୁୁ ଶାଖା ସଂଘ ଭଙ୍ଗ କରାଯାଇ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ସଂଘର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପାତ୍ର ଏହି ଅବସରରେ ସୂଚନା ଦେଇଥିଲେ । ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ପୂର୍ବରୁ ୧୦ ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କୁ ଦିଆଯାଇଥିଲା, ମାତ୍ର ତାହା କରୋନା କଟକଣା ପାଇଁ ସ୍ଥଗିତ ରହିଥିଲା । ତେଣୁ ଦୀର୍ଘ ବର୍ଷ ହେବ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଗଲେ ସେମାନେ ଓ ତାଙ୍କର ପରିବାରବର୍ଗ ଉପକୃତ ହୋଇପାରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପାତ୍ର, ଉପ ସଭାପତି ସାକିର ଖାନ୍, ସାଧାରଣ ସଂପାଦକ ଗଗନ ଚନ୍ଦ୍ର ରାଉତ, ଉପ ସଂପାଦକ ଶିବ ପ୍ରସାଦ ମହାନ୍ତି, ସଂଗଠନ ସଂପାଦକ ବିଜୟ କୁମାର ନାୟକ, ରାଜ୍ୟ ସଂଯୋଜକ ନରେନ୍ଦ୍ର କୁମାର ଟୋପାକ, ଲକ୍ଷ୍ମୀ ମହାନ୍ତି, ଶକୁନ୍ତଳା ଭୋଇ, ଲକ୍ଷ୍ମୀ ଦାସ, ରଂଜିତା ମିଶ୍ର, ବାଉରି ଦେହୁରୀ, ଯୁଗ୍ମ ସଂପାଦକ କୈଳାସ ଜେନା, ପ୍ରଦୀପ ରାଉତ, ପ୍ରସନ୍ନ କୁମାର ବାରିକ, ସୁବ୍ରତ ନାୟକ, ତପନ ନାୟକ, ହରିକୃଷ୍ଣ ଘଡାଇ, ଆର୍ତ ବାରିକ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
