ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଉପହାର ! ଏଫଡି ଉପରେ ସୁଧ ହାର ୦.୮% ବୃଦ୍ଧି କଲା ଏସବିଆଇ
ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି । ବ୍ୟାଙ୍କ୍ ଖାସ୍ ଅବଧି ପାଇଁ ଫିକ୍ସ ଡିପୋଜିଟ୍ (ଏଫଡି) ଉପରେ ସୁଧ ଦର ୦.୮% ପର୍ଯ୍ୟନ୍ତ ବଢ଼ାଇଛି । ଷ୍ଟେଟ୍ ବ୍ୟାଙ୍କ୍ର ୱେବସାଇଟ୍ ଅନୁଯାୟୀ, ଭିନ୍ନ ଭିନ୍ନ ଅବଧି ପାଇଁ ନେଉଥିବା ଏଫଡି ଦର ୦.୨୫% ରୁ ନେଇ ୦.୮% ପର୍ଯ୍ୟନ୍ତ ବଢ଼ାଇଛି । ନୂଆ ଦର ଶନିବାର ଠାରୁ ଲାଗୁ ହୋଇଛି ।
ତେବେ ଚଳିତ ସପ୍ତାହରେ ବ୍ୟାଙ୍କ୍ ଦ୍ୱିତୀୟ ଥର ଏଫଡି ଦରରେ ବୃଦ୍ଧି କରିଛି । ଏହି ସମୟରେ କିଛି ଖାସ୍ ଅବଧିର ଜମା ଉପରେ ୦.୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି । ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୂଯାୟୀ, ଏହି ବୃଦ୍ଧି ପରେ ଏଣିକି ୨୧୧ ଦିନରୁ ଅଧିକ କିନ୍ତୁ ଏକ ବର୍ଷରୁ କମ୍ ଅବଧି ପାଇଁ ୨ କୋଟିରୁ କମ୍ ଜମା ଉପରେ ସୁଧ ୫.୫୦ ପ୍ରତିଶତ ମିଳିବ । ସାତରୁ ୪୫ ଦିନ ଅବଧି ପାଇଁ ଜମା ଉପରେ ସୁଧ ତିନି ପ୍ରତିଶତ ରହିଛି । ୪୬ ଦିନରୁ ୧୭୯ ଦିନର ଅବଧି ପାଇଁ ନେଉଥିବା ଏଫଡି ଉପରେ ସୁଧ ୪.୫ ପ୍ରତିଶତ । ୧୮୦ ଦିନରୁ ୨୧୦ ଦିନର ଅବଧି ପାଇଁ ଏଫଡି ୫.୨୫ ପ୍ରତିଶତ କରାଯାଇଛି । ସେହିଭଳି ୫ ବର୍ଷରୁ ନେଇ ୧୦ ବର୍ଷ ଅବଧି ଥିବା ଏଫଡି ଉପରେ ୫.୮୫ ପ୍ରତିଶତରୁ ବଢ଼ି ୬.୧ ପ୍ରତିଶତ କରାଯାଇଛି ।
