ଆକ୍ସନ ମୋଡରେ କେନ୍ଦ୍ର ସରକାର! ନକଲି କଷ୍ଟମର କେୟାର ନମ୍ବର ଉପରେ ଲାଗିବ ଲଗାମ
ନୂଆଦିଲ୍ଲୀ : ନକଲୀ କଷ୍ଟମର କେୟାର ନମ୍ବରରେ ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏବେ କେନ୍ଦ୍ର ସରକାର ଏହା ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନେକ କ୍ଷେତ୍ରରେ କଷ୍ଟମର ସେମାନଙ୍କ ଅଭିଯୋଗ ଲାଗି କଷ୍ଟମର କେୟାରକୁ ଫୋନ କରନ୍ତି ହେଲେ ନକଲୀ ନମ୍ବର ସେମାନଙ୍କୁ ଚୁନ ଲଗେଇଥାନ୍ତି । ଏହା କେବଳ ନକଲୀ ନମ୍ବର ଯୋଗୁ ହେଉଛି ।
ଏପରି ନକଲୀ ନମ୍ବର ସବୁ ଗୁଗଲରେ ମହଜୁଦ ରହୁଛି, ଯେଉଁଗୁଡିକ ନିଜକୁ କୌଣସି ବ୍ୟାଙ୍କ, କମ୍ପାନୀ ଅଥବା ମୋବାଇଲ କମ୍ପାନୀର କଷ୍ଟମର କେୟାର ବୋଲି ଦାବି କରୁଛନ୍ତି । ଏପରି ନକଲୀ ନମ୍ବରରେ କଲ କଲେ ଆପଣ ପକେଟମାରର ଶିକାର ହୋଇପାରନ୍ତି । ଏବେ ଏପରି ତମାମ ନମ୍ବର ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଅଂଟାଭିଡିଛନ୍ତି । ଏଥିଲାଗି କେନ୍ଦ୍ର ସରକାର ସବୁ କମ୍ପାନୀ ଓ ଆପସ୍ଙ୍କୁ ନିଜର ବାସ୍ତବିକ କଷ୍ଟମର କେୟାର ନମ୍ବରକୁ ପ୍ଲାଟଫର୍ମରେ ରଖିବାକୁ କହିଛନ୍ତି । ଏହା ବାଦେ ସବୁ ନମ୍ବର ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଯୋଗୁ ସଠିକ କଷ୍ଟମର କେୟାର ନମ୍ବର ଏବେ ଚିହ୍ନି ହୋଇଯିବ । ଏଥିଲାଗି କେନ୍ଦ୍ର ସରକାର ସବୁ ଆପ୍ ଓ ଇଣ୍ଡଷ୍ଟ୍ରିଙ୍କ ସହ ଆଲୋଚନା କରିବେ । ଆଗାମୀ ଟେଲିକମ ବିଲ୍ ରେ ମଧ୍ୟ ଏଥିଲାଗି ପ୍ରୋଭିଜନ ରହିବ । ଏଣୁ ଆପଣ ଗୁଗଲ ସର୍ଚ୍ଚ କରି କାହାର କଷ୍ଟମର କେୟାରରେ ଫୋନ କରନ୍ତୁ ନାହିଁ । କେବଳ ସେହି ସଂସ୍ଥାଙ୍କ ନମ୍ବରରେ କଲ କରନ୍ତୁ ଯାହାଙ୍କ ୱେବସାଇଟ୍ ଓ ଆପରେ ସେମାନଙ୍କ ନମ୍ବର ରହିଛି ।
