ଏସ୍ବିଆଇ ଏଟିଏମ୍ ଓ କିଓସ୍କ ବ୍ୟାଙ୍କ ଲୁଟ୍ ଘଟଣା : ମଭଖ୍ୟ ଅଭିଯୁକ୍ତ ଗିରଫ, ଭୁଜାଲି ଜବତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଜାମୁନା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଡକାୟତିର ମୁଖ୍ୟ ଅଭିଯୁକ୍ତ ଗିରଫ । ସୋର ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ବରହମପୁର ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲେ ।
ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଜାମୁନା ନିକଟରେ ଚନ୍ଦନ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କ କିଓସ୍କୋ କରିବା ସହ ପାଖରେ ଏକ ଏଟିଏମ୍ ରହିଥିଲା । ଗତ ଜାନୁଆରୀ ୫ ତାରିଖ ଦିନ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉଥିବା ବେଳେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ହଠାତ୍ ଭିତରକୁ ପଶିଥିଲେ । ହାତରେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଏପରିକି ମାଲିକ ଚନ୍ଦନ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏଟିଏମରୁ ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । ଏନେଇ ବରହମପୁର ଥାନାରେ ମାମଲା (ନଂ. ୨ ।୨୩) ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖଇରା ଥାନା ଅଞ୍ଚଳର ଆଶିଷ କୁମାର ମଲ୍ଲିକ (୨୨)ଙ୍କୁ ଗିରଫ କରାଯିବା ସହ ତା’ ନିକଟରୁ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି । ଗତ ସୋମବାର ସୋର ଥାନା ପୋଲିସ ଏକ ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଶିଷ ଜାମୁନା ଡକାୟତିରେ ଲିଙ୍କ୍ ଥିବା ନେଇ ଜଣାପଡ଼ିବା ପରେ ବରହମପୁର ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛନ୍ତି । ବ୍ୟାଙ୍କ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଆହୁରି ୭ରୁ ୮ ଜଣ ସମ୍ପୃକ୍ତି ରହିଥିବା ତଦନ୍ତରୁ ଜଣାପଡ଼ିଛି । ନୀଳଗିରି ଥାନା ପୋଲିସର୍ ଏକ ଟିମ ବରହମପୁର ଥାନାରେ ପହଞ୍ôଚ ନୀଳଗିରିରେ ବିଭିନ୍ନ ସ୍ଥାନରେ ଘଟିଥିବା ଡକାୟତି ଓ ଚୋରି ଘଟଣା ନେଇ ପଚରାଉଚରା କରୁଛନ୍ତି । ଅଟକ ଅଭିଯୁକ୍ତ ଜଣକ ନାମରେ ପୂର୍ବରୁ ସୋର, ଖଇରା ଓ ଭଦ୍ରକ ଥାନାରେ ବିଭିନ୍ନ ମାମଲାରେ ଜଡ଼ିତ ଥିବାର ସୂଚନା ରହିଛି । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ ସହ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରହମପୁର ଥାନା ଅଧିକାରୀ ହେମନ୍ତ କୁମାର ମାଝୀ ।
