ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ସଫେଇ ସହ ସଚେତନତା କାର୍ଯ୍ୟକ୍ରମ
ନୀଳଗିରି : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଠାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଅଞ୍ଚଳର ୧୦୧୪ ସଦସ୍ୟ ବିଶିଷ୍ଟ ନାଗରିକ ମଞ୍ଚ ୬୭ଜଣ ସଦସ୍ୟ ପୀଠର ବସ୍ଷ୍ଟାଣ୍ଡ ଏବଂ ପିକ୍ନିକ୍ ସ୍ଥଳ ମାନଙ୍କରେ ସଫେଇ କାର୍ଯ୍ୟ କରିବା ସହ ସ୍ୱଚ୍ଛତା ଓ ସଚେତନତା ଉପରେ ଏକ ବୈଠକ କରିଥିଲେ । ୧୦୧୪ ଜଣ ବିଶିଷ୍ଟ ଏହି ନାଗରିକ ମଞ୍ଚ ଗତ ମହାତ୍ମାଗାନ୍ଧୀ ଜୟନ୍ତୀ ଠାରୁ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିରବଚ୍ଛିନ୍ନ ଭାବେ ପରିମଳ ଏବଂ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପ୍ରତ୍ୟେକ ରବିବାର ଦିନ ଏହି ସଦସ୍ୟମାନଙ୍କ ଦ୍ୱାରା ଗାଁ, ସ୍କୁଲ, କଲେଜ, ହସପିଟାଲ ମାନଙ୍କରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦିଆଯାଉଛି । ୪୩୪ତମ ସପ୍ତାହ କାର୍ଯ୍ୟକ୍ରମରେ ପଞ୍ଚଲିଙ୍ଗେଶ୍ୱର ଠାରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଆରମ୍ଭ କରାଯାଇ ୧୧ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା ।
ନାଗରିକ ମଞ୍ଚର ସୁଦର୍ଶନ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏକ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । କମଳାକାନ୍ତ ଦାସ, ଗିରିଶ ଦାସ, ଅଭିରାମ ସାହୁ, ହରିଶ ଜେନା, ବରେନ୍ଦ୍ର ସେଠୀ, ସତ୍ୟମଞ୍ଜରୀ ଦାସ, ପ୍ରେମଲତା ମହାରଣା, ବିଶ୍ୱମ୍ବର ଦାସ, ମହେଶ୍ୱର ସେନାପତି ପ୍ରମୁଖ ଅଂଶଗ୍ରହଣ କରି ଶିବିର ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।
