ବୁଢ଼ାବଳଙ୍ଗ ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ ନିଷ୍ପତ୍ତି
ବାଲେଶ୍ୱର : ବାଲେଶ୍ୱର ସହର ପଢୁଆଁପଦା ସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ସିଭିଲ୍ ସୋସାଇଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରି ଆସନ୍ତା ୨୩ ତାରିଖ ମଙ୍ଗଳବାର ବୁଢ଼ାବଳଙ୍ଗ ନଦୀ ଜଳ ଉତ୍ସର ସୁରକ୍ଷା ନିମିତ୍ତ ଜନସଚେତନତା ସୃଷ୍ଟିପାଇଁ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କାଠସଙ୍ଗଡ଼ା ନିକଟସ୍ଥ ତ୍ରିବେଣୀଘାଟରେ ସୋସାଇଟି ପକ୍ଷରୁ ଜଳସତ୍ୟାଗ୍ରହ କରାଯିବ । ସେହିପରି ଲୋକଶକ୍ତି ଓ ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟସମନ୍ୱୟ ତରଫରୁ ଓଡ଼ିଶାର ନଦୀ ଓ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଅଭିଯାତ୍ରା ବାଲେଶ୍ୱରରୁ ଆରମ୍ଭ କରାଯିବ । ବିଶିଷ୍ଟ ପରିବେଶବିତ୍ ତଥା ମେଗାସିସ୍ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ଏହି ଯାତ୍ରାରେ ନେତୃତ୍ୱ ନେବେ । ଉକ୍ତଦିନ ଅପରାହ୍ନ ୪ଟାରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ସଭାଗୃହରେ ବାଲେଶ୍ୱରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଗଣସଂଗଠନମାନଙ୍କର ନେତୃତ୍ୱଙ୍କ ସମେତ ବୁଦ୍ଧିଜୀବୀମାନଙ୍କର ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ସାମ୍ପ୍ରତିକ ସ୍ଥିତିରେ ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସୋସାଇଟିର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ମନୋଜ ନାୟକ ଏହି ପ୍ରସ୍ତାବ ଆଗତ କରି ଗତ ୫ବର୍ଷ ପୂର୍ବରୁ ବୁଢ଼ାବଳଙ୍ଗ ନଦୀରୁ ଶିଳ୍ପାନୁଷ୍ଠାନମାନଙ୍କୁ ଜଳ ଯୋଗାଣ ପାଇଁ ହୋଇଥିବା ଚକ୍ରାନ୍ତ ଓ ବାଲେଶ୍ୱରବାସୀଙ୍କ ଦୃଢ଼ ପ୍ରତିବାଦ ସମ୍ପର୍କରେ ବୈଠକରେ ଆଲୋକପାତ କରିଥିଲେ । ପୁନଃଶ୍ଚ ଏହି ଉଦ୍ୟମ ଆରମ୍ଭ ହେଉଥିବାରୁ ଏହାକୁ ଦୃଢ଼ ପ୍ରତିରୋଧ କରିବାକୁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ସିଭିଲ୍ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଅରୁଣ ଜେନା, ତୁଷାରକାନ୍ତି ମହାପାତ୍ର, ପରମେଶ୍ୱର ପାତ୍ର, ସର୍ବେଶ୍ୱର ମିଶ୍ର, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ସଞ୍ଜିତ କୁମାର ପତି, ଜ୍ଞାନାନନ୍ଦ ମିଶ୍ର, ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।
