ନିଗମ, ବୋର୍ଡ ଆଦିରେ ମୟୂରଭଂଜରୁ ୩ଜଣଙ୍କୁ ନିଯୁକ୍ତି ସରୋଜିନୀ, ଦେବାଶିଷ ଓ ଜିତେନ୍ଦ୍ର ହେଲେ ମନୋନୀତ
ବାରିପଦା : ରାଜ୍ୟ ସରକାର ପୁଣିଥରେ ବିଭିନ୍ନ ନିଗମ, ବୋର୍ଡ ଆଦିରେ ନୂତନ ପ୍ରାର୍ଥଙ୍କୁ ମନୋନୀତ କରି ଦଳୀୟ ନେତାଙ୍କୁ ଥଇଥାନ କରିଥିବା ବେଳେ, ମୟୁରଭଞ୍ଜ ରୁ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଦେବାଶିଷ ମହାନ୍ତି ଏବଂ ଜିତେନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟ ସରକାର ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଉପଦେଷ୍ଟା ଭାରେ ନିଯୁକ୍ତି ପାଇଥିବା ବେଳେ, ବର୍ତମାନ ସେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା ଏବଂ ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଅଛନ୍ତି । ସେ ବିଜୁ ବାବୁଙ୍କ ବନ୍ଧୁ ପୂର୍ବତନ ଶିକ୍ଷାମନ୍ତ୍ରୀ ଚୈତନ୍ୟ ମାଝିଙ୍କ କନ୍ୟା ଏବଂ ଜଣେ ବରିଷ୍ଠ ବିଜେଡି ନେତ୍ରୀ ଭାବରେ ଦଳର ବହୁକାର୍ଯ୍ୟ ତୁଲାଇ ଆସିଛନ୍ତି । ସେହିପରି ଜିଲ୍ଲାର ଜଣେ ଦକ୍ଷ ଯୁବନେତା ଦେବାଶିଷ ମହାନ୍ତି ପୁଣି ଥରେ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଏହା ପୂର୍ବରୁ ୨୦୧୯ ରୁ ଜୁନ ୨୦୨୨ ପର୍ଯ୍ୟନ୍ତ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଥିଲେ । ସେ ବର୍ତମାନ ବିଜେଡି ଜୀବନବିନ୍ଦୁର ସଂଯୋଜକ ଏବଂ ସେ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ମଧ୍ୟ ଥିଲେ । ସେହିପରି ବାରିପଦାର ବହୁପରିଚିତ ବିଜେଡି ଯୁବନେତା ତଥା ବାରିପଦା ପୌରପରିଷଦର ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି (ନଛି) ଙ୍କୁ ନୂତନ ଭାବରେ ଜିଲ୍ଲା ଯୋଜନା ବୋର୍ଡର ଏକ୍ସପୋର୍ଟ ମେମ୍ବର ନିଯୁକ୍ତ କରାଯାଇଛି । ସେ ଉପନଗରପାଳ ଥିବା ପାଖରୁ ଅଦ୍ୟାବଧି ସବୁଜ ସୁନ୍ଦର ବାରିପଦା ଗଠନ ଲକ୍ଷ୍ୟରେ ସଫେଇ ସହ ବୃକ୍ଷରୋପଣ ଏବଂ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବାରୁ ବାରିପଦା ସାଧାରଣ ଜନତାଙ୍କର ବେଶ ପ୍ରିୟ ଭାଜନ ହୋଇପାରିଛନ୍ତି । ସେ ପୂର୍ବରୁ ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ଏବଂ ଯୁବ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଓ ଜୀବନବିନ୍ଦୁର ସଂଯୋଜକ ମଧ୍ୟ ଥିଲେ । ଏହି ନିଯୁକ୍ତି ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
