ଭାଦ୍ରବ ସଂକ୍ରାନ୍ତିରେ ତ୍ରିବେଣୀ ଘାଟରେ ସଂକୀର୍ତ୍ତନ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କାଠସଙ୍ଗଡ଼ା ସ୍ଥିତ ପ୍ରବାହିତ ବୁଢ଼ାବଳଙ୍ଗ, ସୋନ ଓ ଗଙ୍ଗାହାରର ସମାହାର ତ୍ରିବେଣୀ ସଂଗମ ସ୍ଥଳରେ ଶନିବାର ଭାଦ୍ରବ ସଂକ୍ରାନ୍ତି ଉପଲକ୍ଷେ ତ୍ରିବେଣୀ ସଂକ୍ରାନ୍ତି ସଂକୀର୍ତ୍ତନ କରାଯାଇଛି । ତ୍ରିବେଣୀ ତୀର୍ଥର ଶୁଭ, ଶାନ୍ତି ଓ ଆଧ୍ୟାତ୍ମିକ ପରିବେଶ ବୃଦ୍ଧି ନିମନ୍ତେ ମାସର ପ୍ରତି ସଂକ୍ରାନ୍ତିରେ ସକାଳ ୬ ଘଟିକାରୁ ବାବା ତ୍ରିବେଣୀଶ୍ୱର ପୀଠରୁ ପ୍ରଭାତ ଫେରି ସଂକୀର୍ତ୍ତନ ଦଳ ବାହାରି ତ୍ରିବେଣୀ ସଂଗମ ସ୍ଥଳରେ ପହଞ୍ôଚ ତୀର୍ଥ ଆଳତି କରାଯାଇ ପୁଣି ତ୍ରିବେଣୀଶ୍ୱର ପୀଠକୁ ଫେରିଛନ୍ତି । ଭାଦ୍ରବ ମାସର କନ୍ୟା ସଂକ୍ରାନ୍ତି ଅବସରରେ ସକାଳ ୬ଘଟିକାରେ ତ୍ରିବେଣୀ ସଂକ୍ରାନ୍ତି ସଂକୀର୍ତ୍ତନ ଶୁଭାରମ୍ଭ କରାଯାଇଛି ।
କାଠସଙ୍ଗଡାର ମାଆ ନିମକାଳି ସଂକୀର୍ତ୍ତନ ମଣ୍ଡଳୀ ଭକ୍ତମାନେ ଖୋଳ, କରତାଳ, ଝାଞ୍ଜ ଓ ଶଂଖ ବାଦନ ସହ ମହାମନ୍ତ୍ର ଗାଇ ଗାଇ ସଂକୀର୍ତ୍ତନ କରିଥିଲେ । ଏହି ପ୍ରଭାତ ଫେରି ସଂକୀର୍ତ୍ତନକୁ ତ୍ରିବେଣୀ ଭାଗବତ ପୀଠର ମଠାଧୀଶ ବାବାଜୀ ଦୟାନନ୍ଦ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସଭାପତି ପର୍ଶୁରାମ ବେହେରା, କାର୍ଯ୍ୟକାରୀ ସଭାପତି ଶିଳ୍ପୀ କେଶୁଦାସ, ସହ ସଂପାଦକ ନିରଞ୍ଜନ ଗିରି, ପରିକ୍ଷୀତ ଗିରି, ଦୀନବନ୍ଧୁ ଖଟୁଆ, ଶ୍ରୀୟା ଦାସ, ରଜତ ସ୍ୱାଇ ପ୍ରମୁଖ ଯୋଗଦେବା ବେଳେ କାଠସଙ୍ଗଡା ଗ୍ରାମବାସୀ ଶଂଖ ହୁଳହୁଳି ବଜାଇ ସ୍ୱାଗତ କରିଥିଲେ । ଏହା ତ୍ରିବେଣୀ ସଂକ୍ରାନ୍ତି ସଂକୀର୍ତ୍ତନ ପ୍ରତି ମାସର ସଂକ୍ରାନ୍ତିରେ କରାଯିବ ବୋଲି ମଠାଧିଶ ବାବାଜୀ ଦୟାନନ୍ଦ ଦାସ ଓ ପରିଷଦର ସଭାପତି ପର୍ଶୁରାମ ବେହେରା ଘୋଷଣା କରିବା ସହ ସମସ୍ତ ତ୍ରିବେଣୀ ଭକ୍ତଙ୍କୁ ଅଧିକରୁ ଅଧିକ ଯୋଗଦେବା ପାଇଁ ନିବେଦନ କରିଛନ୍ତି । ପ୍ରକାଶଥାଉ କି, ପବିତ୍ର ତ୍ରିବେଣୀ ଗଣ୍ଡରେ ୧୯୯୯ ମସିହାରୁ ଏ ପର୍ଯ୍ୟନ୍ତ ସଂକ୍ରାନ୍ତିରେ ୧୬ ଜଣରୁ ଊର୍ଦ୍ଧ୍ୱ ଲୋକ ଜଳ ସମାଧି ନେଇଛନ୍ତି ।
