ସପାର ନିର୍ବାଚନୀ ଇସ୍ତାହାର : ଜିତିଲେ ଜନସାଧାରଣଙ୍କୁ ମିଳିବ ଏସବୁ ଫାଇଦା
ଦ୍ୱାଦଶ ପାସ୍ଙ୍କୁ ଫ୍ରି ଲ୍ୟାପଟପ୍, ଜନତାଙ୍କୁ ମାଗଣାରେ ମିଳିବ ବିଜୁଳି-ସିଲିଣ୍ଡର
ଲକ୍ଷ୍ନୌ : ଭାରତୀୟ ଜନତା ପାର୍ଟି ପରେ ସମାଜବାଦୀ ପାର୍ଟି ମଙ୍ଗଳବାର ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ଯୁବ ବର୍ଗ, କୃଷକ, ମହିଳାଙ୍କ ପାଇଁ ଅନେକ ବଡ ବଡ ଘୋଷଣା କରାଯାଇଛି । ଉତର ପ୍ରଦେଶରେ ସପା କ୍ଷମତାକୁ ଆସିଲେ ଜନତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରିଛନ୍ତି ଅଖିଳେଶ ଯାଦବ । ପ୍ରତ୍ୟେକ ବିପିଏଲ ପରିବାରଙ୍କୁ ବର୍ଷକୁ ଦୁଇଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି ଅଖିଳେଶ ଯାଦବ ।
ସେ କହିଛନ୍ତି, ସମସ୍ତ କୃଷିଜାତ ଦ୍ରବ୍ୟର କ୍ରୟ ଏମଏସପି ଆଧାରରେ କରାଯିବ । ବିଜେପି ପରି ସପା ମଧ୍ୟ ୧୫ ଦିନ ଭିତରେ ଆଖୁ ଚାଷୀଙ୍କୁ ସେମାନଙ୍କ ପାଉଣା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି । ଏହା ବ୍ୟତୀତ ଜଳସେଚନ ପାଇଁ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ସୀମାନ୍ତ ଚାଷୀଙ୍କୁ ୨ ବସ୍ତା ଡିଏପି ସାର ଏବଂ ୬ ବସ୍ତା ୟୁରିଆ ସାର ମାଗଣାରେ ମିଳିବ । ୨୦୨୫ ସୁଦ୍ଧା କୃଷକଙ୍କୁ ଋଣ ମୁକ୍ତ କରାଯିବାକୁ ସପାର ନିର୍ବାଚନୀ ଇସ୍ତାହାରରେ ଲକ୍ଷ୍ୟ ରଖାଯାଇଛି । ପେନସନ ଆଧାରରେ ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ପେନସନ ଦିଆଯିବ । ଅଖିଳେଶ ଯାଦବ ଏହା ମଧ୍ୟ କହିଛନ୍ତି, ତାଙ୍କ ଦଳ ସରକାରକୁ ଆସିଲେ ଗ୍ରାମାଂଚଳ ଏବଂ ସହରାଂଚଳକୁ ସିସିଟିଭି ଏବଂ ଡ୍ରୋନ ନିରୀକ୍ଷଣ ଦ୍ୱାରା ସୁରକ୍ଷା ସୁନିଶ୍ଚିତ କରାଯିବ । ଦ୍ୱାଦଶ ପାସ୍ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ଦେବାକୁ ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଗାଁ ଏବଂ ସହରରେ ୱାଇ-ଫାଇ ସୁବିଧା ଉପଲବ୍ଧ କରାଯିବ । ବାଳିକାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦିଆଯିବ । ବିଦ୍ୟାଳୟଗୁଡିକରେ ଇଂରାଜୀ ଶିକ୍ଷା ଉପରେ ଜୋର ଦିଆଯିବ । ୟୁପିକୁ ୨୦୨୭ ପର୍ଯ୍ୟନ୍ତ ଶତ ପ୍ରତିଶତ ସ୍ୱାକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ମଣ୍ଡଳରେ ଏକ ସୈନିକ ସ୍କୁଲ ନିର୍ମାଣ କରିବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ସମାଜବାଦୀ ପାର୍ଟି । ସପା ସରକାର ଗଠନ ହେଲେ ରାଜ୍ୟରେ ସମାଜବାଦୀ କ୍ୟାଂଟିନ ଆରମ୍ଭ କରାଯିବ । ଏଥିରେ ୧୦ ଟଙ୍କାରେ ଜନତାଙ୍କୁ ଖାଦ୍ୟ ପରସା ଯିବ । ଅଖିଳେଶ ଯାଦବ ପ୍ରତ୍ୟେକ ଜିଲ୍ଲାରେ ମୋଡେଲ୍ ହସ୍ପିଟାଲ ତିଆରି କରିବାକୁ ପ୍ରତିଶ୍ରୁତି ଦେଇଛି ।
