ୟୁପି ନିର୍ବାଚନ ପାଇଁ ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ ଜାରି କଲା ବିଜେପି
ଯାହା କହିଥିଲୁ କରିଛୁ, ଯାହା କହିବୁ କରିବୁ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ (ନିର୍ବାଚନ ଘୋଷଣାପତ୍ର) ଜାରି କରିଛି । ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ମଧ୍ୟ ଲଂଚ କରିଛି । ଘୋଷଣାପତ୍ର ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଆସନ୍ତା ୫ବର୍ଷ ମଧ୍ୟରେ ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ବିଜେପି ଏକ ସଂକଳ୍ପ ପତ୍ର ଜାରି କରୁଛି । ଏପରିକି ୫ବର୍ଷ ପୂର୍ବେ ମଧ୍ୟ ବିଜେପି ଏକ ସଂକଳ୍ପ ପତ୍ରକୁ ଏହି ସଭା ହଲରେ ରଖିଥିଲା ଏବଂ ଆମେ ଯାହା ସଂକଳ୍ପ ନେଇଥିଲୁ ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯାହା କୁହାଯାଇଥିଲା ତାହା କରାଯାଇଛି । ଆଗକୁ ମଧ୍ୟ ଯାହା କହିବୁ, ତାହା କରିବୁ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି, ଆଜି ୟୁପିରେ ଆଇନ ରାଜ୍ କରୁଛି, ପ୍ରତ୍ୟେକ ନାରୀ ସୁରକ୍ଷିତ ଅଛନ୍ତି । ୨୦୧୭ ପୂର୍ବରୁ, ୭୦୦ ଦଙ୍ଗା ହୋଇଥିଲା । ୟୁପିରେ ଏବେ ପର୍ବ ଏବଂ ପର୍ବପର୍ବାଣୀ ଗେ?ରବ ସହିତ ପାଳନ କରାଯାଉଛି । ଏବେ ଝିଅମାନେ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି । ୮୬ ଲକ୍ଷ ଚାଷୀଙ୍କ ୩୬ ହଜାର କୋଟି ଋଣ ଛାଡ କରାଯାଇଛି । ଜଳସେଚନ କ୍ଷମତା ୨୨ ଲକ୍ଷ ହେକ୍ଟରକୁ ବୃଦ୍ଧି କରାଯାଇଛି । ୫ଲକ୍ଷ ଯୁବକ ଚାକିରି ପାଇଛନ୍ତି । ୬୦ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯାଇଛି । ୟୁପିର ବେକାରୀ ହାର ୧୮ ପ୍ରତିଶତରୁ କମି ମାତ୍ର ୩ ପ୍ରତିଶତରେ ପହଂଚିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ତେବେ ଆସନ୍ତା ନିର୍ବାଚନ ପାଇଁ ବିଜେପି ଏହି ୬ଟି ମୁଖ୍ୟ ପ୍ରତିଶ୍ରୁତି ଦେଇଥିବା ଦେଖାଯାଇଛି । ସେଗୁଡ଼ିକ ହେଲା – ୧. ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍ ମିଳିବ । ୨. ୫ ହଜାର କୋଟି ଟଙ୍କା ବ୍ୟୟରେ କୃଷି ଜଳସେଚନ ଯୋଜନା ଆରମ୍ଭ ହେବ । ୩. ୧୪ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦରମା ଦିଆଯିବ, ବିଳମ୍ବ ହେଲେ ମିଳିବ ସୁଧ । ୪. ପ୍ରତ୍ୟେକ ବିଧବା ଏବଂ ଗରିବ ମହିଳାଙ୍କୁ ମାସକୁ ୧୫୦୦ଟଙ୍କା ପେନସନ ମିଳିବ । ୫. ୬ଟି ମେଗା ଫୁଡ୍ ପାର୍କ ସ୍ଥାପନ କରାଯିବ । ୬. ୫ ହଜାର କୋଟି ବିନିଯୋଗରେ ସର୍ଦ୍ଦାର ପଟେଲ ଏଗ୍ରି-ଭିତିଭୂମି ମିଶନ ।
