ଫଳରେ ଲୁଣ ମିଶାଇ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ୍ ମାଡ଼ି ବସିବ ଏହିସବୁ ପ୍ରାଣଘାତୀ ରୋଗ
ମଣିଷ ଜୀବନରେ ଲୁଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟ ଯେତେ ସୁନ୍ଦର ହେଉଥାଉ ନା କାହିଁକି, ଯଦି ସେଥିରେ ଲୁଣ ପଡି଼ ନଥାଏ ତେବେ ତାହା ଖାଅବା କଷ୍ଟକର। ଲୁଣ ବିନା ଖାଦ୍ୟ ଖାଇବା ଅସମ୍ଭବ ଅଟେ। ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଅଟେ । ଖାଦ୍ୟର ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ। ତେବେ ଆମ ଖାଦ୍ୟର ସ୍ୱାଦ ଚମତ୍କାର ଭାବରେ ବଢାଉଥିବା ଏହି ଲୁଣର ଅତ୍ୟଧିକ ବ୍ୟବହାର ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ହେବା ଆବଶ୍ୟକ।
ବର୍ତ୍ତମାନ ଖରାଦିନ ଆସିବା ସହ ଫଳ ଓ ଫଳରସର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଫଳ ଶରୀର ପାଇଁ ବହୁତ ଉପକାରୀ ଅଟେ। କିନ୍ତୁ କିଛି ଲୋକ ଫଳର ସ୍ୱାଦ ବଢାଇବା ପାଇଁ ଏଥିରେ ଲୁଣ ମିଶାଇ ଖାଇଥାଆନ୍ତି। ଏମିତି କି ବଜାରରେ ମିଳୁଥିବା ତରଭୂଜ ଓ ଫ୍ରୁଟ୍ ସାଲାଡ଼ରେ ମଧ୍ୟ ଦୋକାନୀ ଲୁଣ ମିଶାଇ ଗ୍ରାହକଙ୍କୁ ଖାଇବାକୁ ଦେଇଥାଆନ୍ତି। ତେବେ ଫଳରେ ଲୁଣ ଖାଇବା ଶରୀର ପାଇଁ ହାନିକାରକ ବୋଲି ଗବେଷକ ମାନେ ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ, ଫଳରେ ଲୁଣ ମିଶାଇ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗ ମାଡି଼ ବସିଥାଏ। ଆସନ୍ତୁ ଜାଣିବା ଫଳରେ ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ କ’ଣ ସବୁ କ୍ଷତି ହୋଇଥାଏ।
ଶରୀରରେ ଲୁଣର ପରିମାଣ ବୃଦ୍ଧି ହୋଇଥାଏ :
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ଦୈନିକ ୫ ଗ୍ରାମ ଲୁଣ ଖାଇବା ଆବଶ୍ୟକ। ଯାହା ଦୈନିକ ରନ୍ଧନ ଖାଦ୍ୟ ମାଧ୍ୟମରେ ପୂରଣ ହୋଇଥାଏ। ଏହିପରି ସମୟରେ ଫଳରେ ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ଲୁଣର ପରିମାଣ କିମ୍ବା ସୋଡି଼ୟମର ପରିମାଣ ବୃଦ୍ଧି ହୋଇଥାଏ। ପରେ ଏହା ଉଚ୍ଚ ରକ୍ତଚାପ ସହ ହୃଦରୋଗ ହେବାର ଆଶଙ୍କାକୁ ମଧ୍ୟ ବୃଦ୍ଧି କରିଥାଏ।
ୱାଟର ରିଟେନ୍ସନ୍ :
ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି ପାଇଲେ ୱାଟର ରିଟେନ୍ସନ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ଫଳରେ ଶରୀରର ବିଭିନ୍ନ ସ୍ଥାନରେ ପାଣି ଜମିଥାଏ। ପାଣି ଜମିବା ଦ୍ୱାରା ଗୋଡ଼ ହାତ ଫୁଲି ବ୍ୟଥା ହୋଇଥାଏ। ଏହା ଫଳରେ ଶରୀରରୁ ଦୂଷିତ ପଦାର୍ଥ ନ ବାହାରି ପାରି ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ।
ଫଳରୁ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳେ ନାହିଁ :
ଫଳ ଗୁଡିକରେ ଲୁଣ ମିଶାଇ ଖାଇଲେ ଶରୀରରେ ଫଳର ପୋଷକ ତତ୍ତ୍ୱ ଗୁଡି଼କ ହ୍ରାସ ପାଇଥାଏ। ଲୁଣ ମିଶାଇବା ଦ୍ୱାରା ଫଳରୁ ପାଣି ବାହାରେ। ଏହା ଫଳରେ ପାଣି ସହ ଫଳରେ ଥିବା ପୋଷକ ତତ୍ତ୍ୱ ଗୁଡିକ ମଧ୍ୟ ବାହାରି ଯାଇଥାଏ। ତେଣୁ ଏଗୁଡିକ ଖାଇବା ଦ୍ୱାରା ଶରୀରରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ଗୁଡିକ ପହଞ୍ଚି ପାରେ ନାହିଁ।
କିଡ୍ନୀ ଜନିତ ସମସ୍ୟା ଦେଖା ଯାଇଥାଏ :
ଲୁଣ ଓ ଚାଟ୍ ମସଲା ଗୁଡିକରେ ଥିବା ସୋଡି଼ୟମର ପରିମାଣ ଅଧିକ ହେବା ଯୋଗୁଁ ଏହା କିଡ୍ନୀର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଥାଏ। ଶରୀରରେ ଲୁଣର ପରିମାଣ ବଢିବା ଦ୍ୱାରା ଏଥିଯୋଗୁଁ ସୃଷ୍ଟି ହେଉଥିବା ଦୂଷିତ ଜଳ ୟୁରିନ୍ ଓ ଝାଳ ହୋଇ କ୍ଷିପ୍ର ଗତିରେ ନିଗ୍ରତ ହୋଇଥାଏ। ଏହି କାରଣରୁ ଏହା କିଡ୍ନୀ ଉପରେ ପ୍ରଭାବ ପଡ଼ିଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଜଣେ ଭାରତୀୟ ପ୍ରତିଦିନ ହାରାହାରି ୧୧ ଗ୍ରାମ ଲୁଣ ଖାଇଥାଆନ୍ତି। ଡବ୍ଲୁଏଚ୍ଓ ଦେଇଥିବା ପରାମର୍ଶଠାରୁ ଏହା ୨ ଗୁଣ ଅଧିକ ଅଟେ। ତେବେ କିଛି ମାସ ପୂର୍ବରୁ ଡବ୍ଲୁଏଚ୍ଓ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ସମଗ୍ର ବିଶ୍ୱରେ ଲୁଣ ଜନିତ ରୋଗିରେ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଏହି ସଂଗଠନର କହିବା ଅନୁସାରେ, ଅନେକ ଧନୀ ଦେଶ ଓ ସ୍ୱଳ୍ପ ଆୟକାରୀ ଦେଶରେ ଲୋକମାନେ କାରଖାନା ନିର୍ମିତ ଖାଦ୍ୟ ବା ପ୍ୟାକେଜିଂ ଫୁଡ଼ର ବହୁଳ ବ୍ୟବହାର କରୁଛନ୍ତି। ଏହି ପ୍ୟାକେଜିଂ ଫୁଡ ଭିତରେ ପାଉଁରୁଟି, ପ୍ରକ୍ରିୟାକୃତ ମାଂସ ଓ ପନିର ପରି ଦୁଗ୍ଧଜାତ ଦ୍ରବ୍ୟ ରହୁଛି। ଆଉ ଏଥିରେ ଅଧିକ ପରିମାଣର ସୋଡିୟମ୍ ବ୍ୟବହୃତ ହୁଏ। ଅଧିକ ସୋଡିୟମ ଖାଇବା ଦ୍ୱାରା ହୃଦଘାତର ସମସ୍ୟା ଦେଖା ଯାଇଥାଏ।
ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଲୁଣକୁ ନେଇ ଏକ ରିପୋର୍ଟ ଜାରି କରାଯାଇଛି ଯେଉଁଥିରେ ଡବ୍ଲୁଏଚ୍ଓ କହିଛି ଯେ, ଲୁଣର ବ୍ୟବହାରକୁ କମ କରାନଗଲେ ଆଗାମୀ ୭ ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଲୋକେ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଛି । ଏଥି ସହିତ ଅନେକ ଲୋକେ ରୋଗଗ୍ରସ୍ତ ହୋଇ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାର ଅଶଙ୍କା ମଧ୍ଯ ରହିଛି। ଲୁଣ ଦ୍ୱାରା ଆଗାମୀ ଭବିଷ୍ୟତରେ ଆସିବାକୁ ଥିବା ବିପଦକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ରିପୋର୍ଟ ମାଧ୍ୟମରେ ବିଭିନ୍ନ ଦେଶର ସରକାରଙ୍କୁ ସୂଚାଇ ଦିଆଯାଇଛି। ଏହାଛଡା ଆମ ଶରୀର ପାଇଁ କେତେ ପରିମାଣର ଆୟୋଡିନ୍ ଆବଶ୍ୟକ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ପାଇଁ ଲୁଣ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ମାତ୍ରାଧିକ ଲୁଣ ସେବନ ଯୋଗୁଁ ହାର୍ଟ ଆଟାକ୍, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖା ଦେଇଥାଏ। ସମଗ୍ର ବିଶ୍ୱରେ ପ୍ରତିବର୍ଷ ହୃତପିଣ୍ଡ ଜନିତ ରୋଗରେ ୧.୮ କୋଟି ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଆମ ଦେଶ ଭାରତରେ ମଧ୍ୟ ଏହାର ସଂଖ୍ୟା କମ୍ ନୁହେଁ । ଦେଶରେ ପ୍ରତିବର୍ଷ ୨୦ ଲକ୍ଷ ଲୋକ ହୃଦଘାତ କିମ୍ବା ଏହି ସମ୍ବନ୍ଧୀୟ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିବା ସୂଚନା ରହିଛି। ଏହି ହୃଦ ରୋଗ ଜନିତ ମୃତ୍ୟୁ ପାଇଁ ଲୁଣ ହିଁ ଦାୟୀ ହୋଇଥାଏ। ମାତ୍ରାଧିକ ସୋଡି଼ୟମଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପାଇଁ ପ୍ରତିବର୍ଷ ୧୮ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଥିବା ଗବେଷକମାନେ ମତ ଦେଇଛନ୍ତି। ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ, ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ସହ ଲୋକ ମାନଙ୍କ ପାଇଁ ସଠିକ୍ ଖାଦ୍ୟ ବିକଳ୍ପ ନୀତି ପ୍ରସ୍ତୁତ କରିବା ପାଇଁ ମତ ପ୍ରକାଶ କରିଛନ୍ତି ।
