ରୁଷ୍-ୟୁକ୍ରେନ ଯୁଦ୍ଧ : ପ୍ରଥମ ଦିନରେ ୟୁକ୍ରେନରେ ୧୩୭ ମୃତ, ୪୦ ଋଷ ସୈନ୍ୟ ନିପାତ
ୟୁକ୍ରେନରୁ ଲୋକଙ୍କ ପଳାୟନ ଜାରି, ରୁଷ୍ ସେନା କବଜାରେ ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟ୍
କିଭ୍ : ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ପ୍ରଥମ ଦିନରେ ୟୁକ୍ରେନ୍ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ପ୍ରାୟ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୟୁକ୍ରେନ୍ ସେନାର ଆକ୍ରମଣରେ ପ୍ରାୟ ୪୦ ଜଣ ଋଷ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ରାଜଧାନୀ କିଭ୍ ଠାରୁ କିଛି ଦୂରରେ ଅବସ୍ଥିତ ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟକୁ ମଧ୍ୟ ରୁଷ୍ କବଜା କରିନେଇଛି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେଂସ୍କି ଏହା ସ୍ପଷ୍ଟ କରିଛନ୍ତି ।
ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ସବୁଠାରୁ ବଡ଼ ସାମରିକ କାର୍ଯ୍ଯାନୁଷ୍ଠାନର ଏକ ଅଂଶ ଭାବରେ ରୁଷ ୟୁକ୍ରେନ ଉପରେ ତିନି ପାର୍ଶ୍ୱରୁ ଆକ୍ରମଣ କରିଛି, ଯାହା ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହି ସମୟରେ ୟୁକ୍ରେନ ଗୁରୁବାର ଦିନ ମିଳିତ ଜାତିସଂଘକୁ ମାନବ ଅଧିକାର ପରିଷଦର ବୈଠକ ଡକାଇବାକୁ ଆହ୍ବାନ ଦେଇଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ୟୁକ୍ରେନରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି। ପ୍ରକାଶଥାଉକି ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଡ୍ରାଫ୍ଟରେ ଶୁକ୍ରବାର ଦିନ ୟୁଏନଏସସିରେ ଭୋଟ୍ ହେବ। ଏଥି ସହିତ ନାଟୋ ମଧ୍ୟ ଏକ ଜରୁରୀ ବୈଠକ ଡାକିଛି।
ୟୁକ୍ରେନ ଉପରେ ଆକ୍ରମଣ ପରେ ଶୁକ୍ରବାର ଋଷର ଆଭିମୁଖ୍ୟ କିଭଳି ରହୁଛି ତାହା ବର୍ତ୍ତମାନ ବେଶ ଗୁରୁତ୍ବପୂର୍ଣ୍ଣ । ଅନ୍ୟପଟେ ୟୁକ୍ରେନ୍ ସ୍ଥିତି ଉପରେ ନଜର ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍ ଙ୍କ ସହିତ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟ, ବିଶେଷକରି ସେଠାରେ ରହି ପାଠ ପଢୁଥିବା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦେବାକୁ ପୁଟ୍ଟିନଙ୍କୁ କହିଛନ୍ତି ମୋଦି ।
ଏପ୍ରିଲ୍ ୧୯୮୬ରେ ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟରେ ବିଶ୍ୱର ସବୁଠାରୁ ମର୍ମନ୍ତୁଦ ପରମାଣୁ ଦୁର୍ଘଟଣା ଘଟିଥିଲା । ବିସ୍ଫୋରଣ ପରେ ସମଗ୍ର ୟୁରୋପରେ ଆଣବିକ ବିକିରଣ ଘଟିଥିଲା | ଏହି ପ୍ଲାଣ୍ଟ ଦେଶର ରାଜଧାନୀ କିଭଠାରୁ ୧୩୦ କିଲୋମିଟର ଉତ୍ତରରେ ଅବସ୍ଥିତ । ଯେଉଁଠାରେ ବିସ୍ଫୋରଣ ଘଟିଥିଲା ସେହି ରିଆକ୍ଟରକୁ ବିକିରଣ ଲିକେଜକୁ ରୋକିବା ପାଇଁ ଏକ ସୁରକ୍ଷା ଉପକରଣ ଦ୍ବାରା ଆଚ୍ଛାଦିତ କରାଯାଇଥିଲା ଏବଂ ପୂରା ପ୍ଲାଣ୍ଟକୁ ଅକ୍ଷମ କରାଯାଇଥିଲା । ରୁଷ ସହ ଯୁଦ୍ଧ ଯୋଗୁଁ ସମଗ୍ର ୟୁକ୍ରେନରେ ହାହାକାର ପଡ଼ିଯାଇଛି । ୟୁକ୍ରେନରୁ ଲୋକଙ୍କ ଦେଶ ଛାଡିବା ଜାରି ରହିଛି । ଏହି କ୍ରମରେ ଜୀବନ ରକ୍ଷା ପାଇଁ ୟୁକ୍ରେନବାସୀ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଏବଂ ଅନ୍ୟ ପଡୋଶୀ ଦେଶକୁ ପଳାୟନ ଆରମ୍ଭ କରିଛନ୍ତି । ଜାତିସଂଘ ଆକଳନ କରିଛି ଯେ ଏକ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡି ଅନ୍ୟ ଦେଶକୁ ଯାଇଛନ୍ତି।
