ବାଲେଶ୍ୱର : ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରେ ଦିନକୁ ଦିନ ବ୍ରାଉନସୁଗାର (ଧଳା ଜହର) ବେପାରର ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ଏସଟିଏଫ, ଅବକାରୀ, ପୋଲିସ ବାରମ୍ବାର ଚଢ଼ାଉ କରି ଧଳା ଜହର ଜବତ କରିବା ସହ ବହୁ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରୁଛନ୍ତି । ଏହାପରେ ମଧ୍ୟ ଏଥିରେ ରୋକ ଲାଗି ପାରୁ ନାହିଁ । ଏହି ପୈପ୍ରେକ୍ଷୀରେ ଆଜି ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନ ସୁଗାର। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ସେମାନଙ୍କ ସହିତ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଶୁକ୍ରବାର ଭୋର ପ୍ରାୟ ୫ ଘଟିକା ସମୟରେ ଜଳେଶ୍ୱର ପୋଲିସ ପକ୍ଷରୁ ୧୦ ଜଣିଆ ଟିମ ରାଜପୁର ବସ୍ତିରେ ଚଢ଼ାଉ କରିଥିଲେ। ସେଠାରୁ ଆନୁମାନିକ ୩୦୦ ଗ୍ରାମ ଓଜନର ଧଳା ଜହର ଜବତ କରାଯାଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଏହି ଚଢ଼ାଉ ରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି, ଏସଡ଼ିପିଓ ଅଙ୍କିତା କୁମ୍ଭାର, ଏସଆଇ ଭୁବନ ମୋହନ ସେଠୀଙ୍କ ସମେତ ପଦସ୍ଥ ଅଫିସର ଉପସ୍ଥିତ ଥିଲେ। ସୂଚନା ଯେ, ଜଳେଶ୍ୱର ସହର ଧଳାଜହରର ପେଣ୍ଠସ୍ଥଳୀ ପାଳିଟି ଯାଇଛି। ଅବକାରୀ ବିଭାଗ, ଏସଟିଏଫ ଓ ପୋଲିସ ବାରମ୍ବାର ଚଢ଼ାଉ କରିବାରୁ ସେମାନଙ୍କୁ ଚକ୍ଷ୍ମା ଦେବା ପାଇଁ ଧଳାଜହର ବେପାରୀ ମାନେ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଗତ ୨୨ ଦିନ ମଧ୍ୟରେ ଜଳେଶ୍ୱର ଅଞ୍ଚଳରୁ ୨.୫ କେଜି ଓଜନର ଧଳାଜହର ଜବତ କରାଯାଇଥିବାର ପୋଲିସ ସୂତ୍ରରୁ ଜଣାପଡିଛି ।
