ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
ମାଲକାନଗିରି : ରାଜ୍ୟରେ ଏବେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି । ଦୈନିକ କେଉଁଠୁ ନ କେଉଁଠୁ ବିପୁଳ ମାତ୍ରାରେ ଚୋରା ଗଞ୍ଜେଇ ଜବତ ହେଉଛି । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲା ପୋଲିସ ହାତରେ ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ । ଏଥିରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ମାଲକାନାଗିରି ପୋଲିସ । ଜବତ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା ଏହି ସବୁ ଗଞ୍ଜେଇ ।
ସୂଚନା ଯେ, ବିଶେଷ ସୁତ୍ରରୁ ଖବର ପାଇ ଖଇରପୁଟ ଥାନା ପୋଲିସ ଗୋବିନ୍ଦପାଲି ରାସ୍ତାରେ ଚଢାଇ କରିଥିଲା । ଚଢାଉ ବେଳେ ପୋଲିସ ହାତରେ ଧରା ପଡିଥିଲା ଗୋଟିଏ କାର ଓ ଗୋଟିଏ ପିକ୍ ଏପ୍ ଭ୍ୟାନ । ଗଞ୍ଜେଇ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ୫ ଜଣଙ୍କ ମଧ୍ୟରେ ବୈପାରିଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ରହିଥିବା ଜଣା ପଡିଛି ।
