ରୋଜଭ୍ୟାଲି ଗ୍ରୁପ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି : ଅର୍ଥମନ୍ତ୍ରୀ
ଭୁବନେଶ୍ୱର : ବର୍ତମାନ ପର୍ଯ୍ୟନ୍ତ ୩୦ଟି ବେଆଇନ ଆର୍ôଥକ ପ୍ରତିଷ୍ଠାନର ସମ୍ପତି ଜବତ କରାଯିବା ସହ ଜବତ ସମ୍ପତିର ବିକ୍ରିଲବ୍ଧ ଅର୍ଥକୁ କ୍ଷୁଦ୍ର ଜମାକାରୀଙ୍କ ଫେରସ୍ତ କରାଯାଇଛି । ସୋମବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ସମୁଦାୟ ୩୦ଟି ଚିଟଫଣ୍ଡ କମ୍ପାନୀର ସମ୍ପତି ଜବତ କରାଯାଇଛି । ଏମାନଙ୍କ ମଧ୍ୟରେ ରୋଜଭ୍ୟାଲି ଗ୍ରୁପର ୯୪ କୋଟି ୯୦ ଲକ୍ଷ ୨୦ ହଜାର ୯୯୬ ଟଙ୍କା ଜବତ କରାଯାଇଛି । ୧ ଲକ୍ଷ ୬୪ ହଜାର ୪୬୧ ଜଣ ଜମାକାରୀଙ୍କୁ ୬୦ କୋଟି ୨୨ ଲକ୍ଷ ୩୪ ହଜାର ୭୨୬ ଟଙ୍କା ଫେରସ୍ତ ଦିଆଯାଇଛି । ସେହିପରି ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ ଅଫ କମ୍ପାନୀର ୯୪ କୋଟି ୬୪ ଲକ୍ଷ ୭୫ ହଜାର ୧୮୯ ଟଙ୍କା ଜବତ କରାଯାଇଥିବା ବେଳେ ଏବେ ଜମାକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି । ହାଇଟେକ ଗ୍ରୁପ ଅଫ କମ୍ପାନିଜ ଆଣ୍ଡ ଟ୍ରଷ୍ଟର ୮୮ କୋଟି ୭୨ ଲକ୍ଷ ୩୮ ହଜାର ୦୩୪ ଟଙ୍କା ଜବତ କରାଯାଇଛି । ତେବେ କେବଳ ରୋଜଭ୍ୟାଲି ଗ୍ରୁପକୁ ଛାଡିଦେଲେ ଅନ୍ୟ କେଉଁ ସଂସ୍ଥାର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ ଓ ବର୍ତମାନ ପ୍ରକୃତ ଜମାକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।
