ମହିଳା ଓ ଶିଶୁ ନିର୍ଯ୍ୟାତନା କମାଇବା ଦିଗରେ ମହିଳା ଥାନାର ଭୂମିକା ମହତ୍ୱପୂର୍ଣ୍ଣ : ବାସନ୍ତୀ ହେମ୍ବ୍ରମ୍
ଭୁବନେଶ୍ୱର : ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅପରାଧକୁ କମାଇବା ଦିଗରେ ମହିଳା ଥାନାର ଭୂମିକା ବେଶ୍ ମହତ୍ୱପୂର୍ଣ୍ଣ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ମତବ୍ୟକ୍ତ କରିଛନ୍ତି । ଜାତୀୟ ମହିଳା କମିଶନ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଆୟୋଜିତ ‘ମହିଳା ଥାନା କାର୍ଯ୍ୟକାରିତା : ଦକ୍ଷତା ଓ ପ୍ରଭାବ‘ ଶୀର୍ଷକ ଆଲୋଚନାଚକ୍ରରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅପରାଧକୁ କମାଇବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ ରାଜ୍ୟର ଥାନାଗୁଡ଼ିକରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଟି ଥାନାରେ ଏହା ସ୍ଥାପନ କରାଯାଇଥିଲା । ୨୦୧୩ ମସିହାରେ ରାଜ୍ୟର ୫୩୭ଟି ପୋଲିସ୍ ଥାନାରେ ମହିଳା ଓ ଶିଶୁ ଡେସ୍କ ସୃଷ୍ଟି କରାଯାଇଥିଲା । ସମ୍ପ୍ରତି ରାଜ୍ୟର ୬୦୮ଟି ପୋଲିସ ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି । ରାଜ୍ୟର ୬ଟି ସ୍ଥାନରେ ମହିଳା ଥାନା ପ୍ରତିଷ୍ଠା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ସହରରେ, କଟକ ଜିଳ୍ଲା ଅନ୍ତର୍ଗତ କଟକ ସହରରେ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରରେ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ସହରରେ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲାଠାରେ ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁରଠାରେ ମହିଳା ଥାନା କାର୍ଯ୍ୟ କରୁଛି । ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ମହିଳା ଓ ଶିଶୁ ପ୍ରକୋଷ୍ଠ ଖୋଲାଯାଇ ମହିଳା ଓ ଶିଶୁ ସମ୍ବନ୍ଧୀୟ ଅପରାଧକୁ ଯଥାସମ୍ଭବ ପ୍ରଶମିତ କରିବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରହିଛି । ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା ଆଜିର ଏହି ଆଲୋଚନାଚକ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ବର୍ଣ୍ଣନା କରିଥିଲେ । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ) ଶ୍ରୀମତୀ ରେଖା ଲୋହାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅପରାଧକୁ ଦୃଢ଼ ଭାବେ ଦମନ କରିବା ଉଦ୍ଦେଶ୍ୟ ନେଇ ସ୍ୱତନ୍ତ୍ର ରୂପେ ମହିଳା ଥାନା ପ୍ରତିଷ୍ଠା ହୋଇଥିଲା । ସଂପ୍ରତି ରାଜ୍ୟର ୬ଟି ମହିଳା ଥାନା ମହିଳା ଓ ଶିଶୁ ଅପରାଧ ବିରୁଦ୍ଧରେ ବେଶ୍ ପ୍ରଭାବୀ ଓ ଫଳପ୍ରସୂ ହୋଇପାରିଛି । ରାଜ୍ୟ ମହିଳା ଆୟୋଗର ରେଜିଷ୍ଟ୍ରାର ସୁଶୀଲ କୁମାର ରାୟ ଓ ସଂଯୋଜକ ସଚିବ ଏନ୍.ସି. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
