ରାଜ୍ୟସ୍ତରୀୟ ଜୟନ୍ତୀରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର : ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଅତୁଳନୀୟ ଅବଦାନ ରଖିଯାଇଥିବା ବାଙ୍କୀ ବୈଦେଶ୍ୱରସ୍ଥ ବ୍ରଜବିହାରପୁର ଶାସନରେ ଜନ୍ମିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୫ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ,ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପଣ୍ଡିତ ବିଦ୍ୟାରତ୍ନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ତଥା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ପ୍ରଭାତ କୁମାର ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ଜାତୀୟତା ଆନ୍ଦୋଳନରେ ନୀଳମଣିଙ୍କ ଜୀବନବ୍ୟାପୀ ସାଧନା ଓ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ପୂଜ୍ୟପୂଜା ସଂସଦ, ଭୁବନେଶ୍ୱର, ଉତ୍କଳ ସମ୍ମିଳନୀ, ଉଇ ଫର ଭୁବନେଶ୍ୱର ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ମଧ୍ୟ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାଶ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟପଦାଧିକାରୀ,ରାଜ୍ୟସ୍ତରୀୟ ନୀଳମଣି ବିଦ୍ୟାରତ୍ନ କମିଟିର ସଂପାଦକ ଡଃ. କୃଷ୍ଣକେଶବ ଷଡଙ୍ଗୀ,ବାଙ୍କୀ-ଡୋମପଡା ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, କମିଟିର ସଭ୍ୟ ଚିତ ମହାପାତ୍ରଙ୍କ ସମେତ ଅନ୍ୟ ସଭ୍ୟସଭ୍ୟା ଏବଂ ପୂଜ୍ୟ ପୂଜା ସଂସଦ ତରଫରୁ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗଦେଇ ପଣ୍ଡିତ ବିଦ୍ୟାରତ୍ନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁ ଶାସନ ସଚିବ ଲକ୍ଷ୍ମୀଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
