ଓଜେଏସ୍ ପରୀକ୍ଷାରେ ସଫଳତା ପାଇଲେ ରୋହିଣୀ ବିଶ୍ୱାଳ
ଔପଦା : ବାଲେଶ୍ୱର ଜିଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ଜୁଡ଼ାଗଢ଼ିଆ ଗ୍ରାମର ବୋହୂ ରୋହିଣୀ ବିଶ୍ୱାଳ ଓଜେଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ପାଇଥିବାରୁ ଅଞ୍ଚଳରେ ଖୁସି ଦେଖା ଦେବା ସହ ଶୁଭେଚ୍ଛା ବାର୍ତ୍ତାରେ ସୁଅ ଛୁଟୁଛି । ଗ୍ରାମ ପରିବେଶରେ ଔପଦା ଅଞ୍ଚଳର ପ୍ରଥମ ଥର ପାଇଁ ଜଣେ ମହିଳା ଏହି ସଫଳତା ପାଇଥିବା ଜଣାଯାଇଛି ।
ରୋହିଣୀ ବିଶ୍ୱାଳ ଓଜେଏସ ପରୀକ୍ଷାରେ ରାଜ୍ୟସ୍ତରରୁ ୩୫ ତମ ସ୍ଥାନରେ ଥିବାବେଳେ ସେ ଏଥିପାଇଁ ଭଗବାନଙ୍କ ଆଶୀର୍ବାଦ ମିଳିଥିବା ସହ ଜନ୍ମିତ ବାପା, ମା’ ଓ ସ୍ୱାମୀ ଗୋପାଳ ଚନ୍ଦ୍ର ନାୟକ, ଶ୍ୱଶୁର ମହେନ୍ଦ୍ର ନାୟକ ଓ ଶାଶୁ ଆଦିଲତାଙ୍କ ପ୍ରେରଣା ପାଇଁ ଏହାର ସଫଳତା ମିଳିଛି ବୋଲି ପ୍ରକାଶ କରିଛନ୍ତି । ରୋହିଣୀ ବିଶ୍ୱାଳ ଅନୁଗୁଳ ଜିଲା ବଁଅରପାଳ ବ୍ଲକ କୁଲାଡ଼ ଗ୍ରାମର ବାପା ରଙ୍ଗବଲ୍ଲଭ ବିଶ୍ୱାଳ, ମା’ ରଞ୍ଜନା ବିଶ୍ୱାଳଙ୍କ କୂଳରେ ଜନ୍ମ ଗ୍ରହଣ କରିଥିଲେ । ୨୦୨୧ ମସିହାରେ ରୋହିଣୀ ଔପଦା ଅଞ୍ଚଳର ଗୋପାଳଙ୍କୁ ବିବାହ କରିଥିଲେ । ବିଏ ପାଠ ପଢ଼ି ଓକିଲାତି ପାସ୍ ପରେ ଓଜେଏସ୍ ପରୀକ୍ଷା ଦେଇ ସଫଳତା ପାଇଛନ୍ତି । ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏକାଗ୍ରତା ଓ ନିଷ୍ଠା ରହିଲେ ପ୍ରତି କାମର ସଫଳତା ମିଳିପାରିବ ବୋଲି କହିଛନ୍ତି । ସେ ଗଣମାଧ୍ୟମକୁ ବିଚାର ପ୍ରକ୍ରିୟାକୁ ତ୍ୱରିତ କରିବା ସଙ୍ଗେ ସମାଜର ବିକାଶ ପାଇଁ ମୁଖ୍ୟତଃ ଶିକ୍ଷାକୁ ପ୍ରାଧାନ୍ୟ ଦେବେ ଓ ଜଣେ ନାରୀ ଭାବେ ପରିବାର ପ୍ରତି କର୍ତ୍ତବ୍ୟ କରିବେ ବୋଲି କହିବା ସଙ୍ଗେ ଓକିଲାତି ପରୀକ୍ଷାରେ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ବେଳେ ବିଭିନ୍ନ ପରୀକ୍ଷାରେ ମଧ୍ୟ କୃତିତ୍ୱ ଅର୍ଜନ କରିଥିବା ଜଣାଯାଇଛି ।
