ମହାନଦୀବିହାରରେ ଡକାୟତି ଆକ୍ରମଣ କରି ୧୮ ଲକ୍ଷ ଟଙ୍କା ସହ ୪୦ ଭରି ସୁନାଗହଣା ଲୁଟିନେଲେ
କଟକ : ଆଜି ପ୍ରତ୍ୟୁଷରେ କଟକ ସହରରେ ଘଟିଛି ଏକ ବଡଧରଣର ଡକାୟତି । ଡକାୟତମାନେ ସକାଳୁ ସକାଳୁ ଘରେ ପଶି ଗୃହକର୍ତ୍ତାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ସହିତ ବିପୁଳ ପରିମାଣର ସୁନା ଗହଣା ଲୁଟ କରି ନେଇଥିବା ନେଇ ଚାଉଳିଆଗଂଜ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଆଜି ଭୋର ୫.୩୦ ସମୟରେ ୫ ଜଣ ଡକାୟତ ମହାନଦୀବିହାର ୫୬୭ ପ୍ଲଟ୍ ନମ୍ବରରେ ରହୁଥିବା ବିଲଡର ଦିପ୍ତୀରଂଜନ ପଟ୍ଟନାୟକଙ୍କ ଘରେ ପଶି ହତ୍ୟା ଧମକ ଦେବା ସହ ଆକ୍ରମଣ କରି ନଗଦ ୧୮ ଲକ୍ଷ ୫୦ ହଜାର ଟଙ୍କା, ୪୦ ଭରି ସୁନା ଅଳଙ୍କାର ଓ ୩ଟି ଆଇଫୋନ୍ ଲୁଟି ନେଇଥିବା ଚାଉଳିଆଗଂଜ ଥାନାରେ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେବେ କମିଶନରେଟ ପୋଲିସର କଡାକଡି ପାଟ୍ରୋଲିଂ ହେଉନଥିବାରୁ ସକାଳୁ ସକାଳୁ ଏଭଳି କାଣ୍ଡ ଘଟିଛି ବୋଲି ସ୍ଥାନୀୟ ଅଂଚଳର ଅଧିବାସୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ପୋଲିସ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭି ଯାଂଚ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ସ୍ଥାନୀୟ ବିଧାୟକ ସୈାଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଘଟଣାର ଯଥାଶୀଘ୍ର ଅନୁସନ୍ଧାନ କରି ଡକାୟତମାନଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କା ଓ ଗହଣାକୁ ଉଦ୍ଧାର କରିବା ନେଇ ପୋଲିସ କମିଶନରଙ୍କୁ ଅନୁରୋଧ କରିଥିଲେ ।
