ବ୍ଲକ ଉନ୍ନୟନ କାର୍ଯ୍ୟର ଅଗ୍ରଗତିକୁ ନେଇ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମୀକ୍ଷା
ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲା ଅତିରିକ୍ତ ଉନ୍ନୟନ ଅଧିକାରୀ ପ୍ରହଲ୍ଲାଦ ରଣା, ବିଡିଓ ଜ୍ୟୋତିର୍ମୟ କର, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ଡିଏସଏସଓ ଅମର କୁମାର ସାହୁ, ଡିଏସସି ରୀତାରାଣୀ ନାୟକ, ଏଷ୍ଟିମେଟର ଜ୍ଞାନେନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, ଆକାଉଣ୍ଟସ ଅଫିସର ସୌମ୍ୟନନ୍ଦନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଅକ୍ଟୋବର ୧୫ ଠାରୁ ମନରେଗା କାମ ଆରମ୍ଭ ହୋଇଥିଲେ ମଧ୍ୟ ତିହିଡ଼ି ବ୍ଲକରେ ଅଦ୍ୟାବଧି କୌଣସି ପ୍ରକଳ୍ପ ଆରମ୍ଭ ହୋଇ ନାହିଁ । ତେବେ ତୁରନ୍ତ ପ୍ରକଳ୍ପ ତାଲିକା ଦେଇ ଆସନ୍ତା ନଭେମ୍ବର ୧୫ ଠାରୁ ମନରେଗା କାର୍ଯ୍ୟ ଆରମ୍ଭ କରିବାକୁ କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ଜିଆରଏସ ମାନଙ୍କୁ କହିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଯୋଜନା ମାଧ୍ୟମରେ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକମାନଙ୍କୁ ଆତ୍ମନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଯଥାଶୀଘ୍ର ମନରେଗା କାର୍ଯ୍ୟ ଆରମ୍ଭ କରାଗଲେ ଶ୍ରମିକମାନେ ଶ୍ରମ ନିଯୁକ୍ତି ପାଇପାରିବେ ବୋଲି କହିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କ ଠାରୁ ଆବଶ୍ୟକୀୟ କାଗଜ ସଂଗ୍ରହ କରି ପ୍ରସ୍ତୁତ ରହିବାକୁ ମଧ୍ୟ ଆଲୋଚନା କରିଥିଲେ । ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ନଳକୁପ ନିକଟରେ ପିଟ୍ ଟାଙ୍କି ବସିବା ଦିଗରେ ସମସ୍ତ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ସୁକାନ୍ତ ମିଶ୍ର, ତୁଷାର ମିଶ୍ର, ଅଲେଖ ତିର୍କୀ, ଭରତ ବିଶ୍ୱାଳ, ଭୀଷ୍ମଦେବ ଶତପଥି, ତନୁଜା ମିଶ୍ର, ପିଇଓ ରବିନ୍ଦ୍ର ଦାସ, ବାସୁଦେବ ବେହେରା, ଦୀନବନ୍ଧୁ ପାତ୍ର, ଦୀନବନ୍ଧୁ ମହାନ୍ତି, ଶ୍ରୀକାନ୍ତ ମହାଳିକ, ଅରୁଣ ପଣ୍ଡା, ସସ୍ମିତା ବାରିକ, ସୁକାନ୍ତୀ ବାରିକ, ନରେନ୍ଦ୍ର ସାହୁ, ସାରଦା ବଳ, ରୁନୁରାଣୀ ମଲିକ, ଅଶୋକ ପାଣି, ଜିଆରଏସ ମନୋରଂଜନ ଭୋଇ, ଅଜୟ କୁମାର ନାୟକ, ସସ୍ମିତା ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ନିରାକାର ମଲିକ, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଏମଜିଏନଆରଇଜିଏସର ଏପିଇଓ ସ୍ନିଗ୍ଧାରାଣୀ ବେହେରା ଓ ସହକାରୀ ସୁଧାଂଶୁ ନାୟକ ଏମଜିଏନଆରଇଜିଏସ ଯୋଜନା ଉପରେ ସୂଚନା ଦେଇଥିଲେ ।
