ଉଚ୍ଛେଦ ପାଇଁ ରେଳ ବିଭାଗର ୭ ଦିନିଆ ନୋଟିସ ପ୍ରତିବାଦରେ ବିଧାୟକଙ୍କ ବାସଭବନକୁ ଘେରିଲେ ବାସିନ୍ଦା
କଟକ : ଜଗତପୁର ରେଳବାଇ ଜମିରେ ନିର୍ମାଣ କରାଯିବ ରେଳବାଇ ପୁଲିସ ଟ୍ରେନିଂ ସେଂଟର । ସେଥିପାଇଁ ଏହି ଜମିକୁ ଜବର ଦଖଲମୁକ୍ତ କରାଯିବ । ଦୀର୍ଘ ୫୦ ବର୍ଷ ଧରି ଏଠାରେ ବସବାସ କରିଆସୁଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବ । ରେଳବାଇ ବିଭାଗ ପକ୍ଷରୁ ଏଥିପାଇଁ ୭ ଦିନିଆ ନୋଟିସ ଜାରି କରାଯାଇଛି । କରୋନା ମହାମାରୀ ସମୟରେ ବିନା ଥଇଥାନ ଯୋଜନାରେ ମାତ୍ର ୭ ଦିନର ମହଲତ ଦେଇ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସର ପ୍ରତିବାଦରେ ସହ ସହ ବସ୍ତି ବାସିନ୍ଦା ଆଜି ସକାଳୁ ମହାନଦୀ ବିହାରସ୍ଥିତ ଚୈାଦ୍ୱାର କଟକ ବିଧାୟକଙ୍କ ବାସଭବନ ଘେରାଉ କରିବା ସହ ପୂର୍ବତନ ବିଧାୟକ ଡ. ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଦୁଇ ଘଂଟାରୁ ଅଧିକ ସମୟ ଅଟକ ରଖିଥିଲେ । ବସ୍ତି ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ଡ. ବିଶ୍ୱାଳ ରେଳ ବିଭାଗ ଖୋର୍ଦ୍ଧା ରୋଡର ଡିଆରଏମ ଓ ଜିଲ୍ଲାପାଳଙ୍କ ସହ ଏ ନେଇ ଫୋନ ଯୋଗେ ବିସ୍ତୃତ ଆଲୋଚନ କରିଥିଲେ । ତେବେ ଆସନ୍ତା କାଲି ସକାଳେ ଡ. ବିଶ୍ୱାଳଙ୍କ ନେତୃତ୍ୱରେ ବସ୍ତି ବାସିନ୍ଦାଙ୍କ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ନିମନ୍ତେ ଜିଲ୍ଲାପାଳ ସମ୍ମତି ପ୍ରଦାନ କରିବା ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଆଶ୍ୱସନାର ସଂଚାର ହୋଇଥିଲା । ଏହି ଘେରାଉରେ ପୂର୍ବତନ କର୍ପୋରେଟର ନବ କିଶୋର ସ୍ୱାଇଁଙ୍କ ନେତୃତ୍ୱରେ ନିମପୁରର ମୁଣ୍ଡା ସାହି, କେଳା ସାହି, ପ୍ରଧାନ ସାହି, ଝାଡୁ ବସ୍ତି ଏବଂ କେଉଟ ସାହିର ଦୁଇ ଶହରୁ ଉର୍ଦ୍ଧ୍ୱ ବସ୍ତି ବାସିନ୍ଦାମାନେ ସାମିଲ ହୋଇଥିଲେ ।
