କେନ୍ଦୁଝର ଡାକ୍ତରଖାନାରେ ଶିଶୁ ମଡକ ଘଟଣାରେ ଖୁବ ଶୀଘ୍ର ଆସିବ ରିପୋର୍ଟ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କେନ୍ଦୁଝର ଜିଲା ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବ । ଏହି ରିପୋର୍ଟ ଆସିବା ପରେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହେବ । ଡାକ୍ତରଖାନାରେ ମୃତ୍ୟୁ ଘଟଣା ସ୍ୱାଭାବିକ । କିନ୍ତୁ ଏହି ଘଟଣାରେ ମୃତ୍ୟୁର କାରଣ କଣ ସେନେଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୋଟ ଉପରେ ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୪ ଘଂଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ୨୪ ଘଂଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରୁତର ସହ ନେଇଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍ ଏସଏନସିୟୁରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଟିମ୍ ରେ ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ଶତପଥୀ ଓ ଶିଶୁ ପରାମର୍ଶଦାତା ଡାକ୍ତର ଆର ଏନ ପଣ୍ଡା ଅଛନ୍ତି । ଏହି ଟିମ୍ ତଦନ୍ତ ଶେଷ କରିଛନ୍ତି । ଆଜି ବିଳମ୍ୱିତ ରାତି ବା ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବେ । ପ୍ରକୃତରେ ଅବହେଳା କାରଣରୁ ମୃତ୍ୟୁ ଘଟିଛି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
