ରାଜସ୍ଥାନୀ ଢୋକଲି
ଆବଶ୍ୟକ ସାମଗ୍ରୀ :
ଡାଲି ପାଇଁ ୧ କପ ହରଡ଼ ଡାଲି, ୨ ଚିମୁଟା ହଳଦୀ ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ଛୁଙ୍କ ପାଇଁ ୧ ଚାମଚ ଜିରା, ଏକ ଚିମୁଟା ହେଙ୍ଗୁ, ୨ ଚିମୁଟା ହଳଦୀ ଗୁଣ୍ଡ, ୧ ଚାମଚ ଲଙ୍କା ଗୁଣ୍ଡ, ୧୦ଟି ଭୃସଙ୍ଗ ପତ୍ର, ୨ଟି କଞ୍ଚା ଲଙ୍କା, ୧ ଚାମଚ ଧନିଆ ଗୁଣ୍ଡ, ୧ ଚାମଚ ଆମଚୁର ପାଉଡର, ୧ ବଡ଼ ଚାମଚ କଟା ଧନିଆ ପତ୍ର, ସ୍ବାଦାନୁସାରେ ଲୁଣ। ଢୋକଲି ତିଆରି କରିବା ପାଇଁ ୧ କପ ଅଟା, ଅଧ କପ ବେସନ, ସ୍ବାଦାନୁସାରେ ଲୁଣ, ୧ ଚିମୁଟା ଜୁଆଣୀ, ୧ ଚାମଚ ଘିଅ, ଆବଶ୍ୟକ ଅନୁସାରେ ପାଣି।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ମଧ୍ୟମ ଆଞ୍ଚରେ ପ୍ରେସରକୁକରରେ ଡାଲି, ହଳଦୀ ଗୁଣ୍ଡ, ଲୁଣ ଓ ପାଣି ଦେଇ ଦୁଇଟି ସିଟି ଦିଅନ୍ତୁ। ଇତିମଧ୍ୟରେ ଢୋକଲି ତିଆରି କରିବା ପାଇଁ ଅଟା, ବେସନ, ହଳଦୀ ଗୁଣ୍ଡ, ଜୁଆଣୀ, ଲୁଣ ଓ ଘିଅ ମିଶାନ୍ତୁ। ଏଥିରେ ପାଣି ମିଶାଇ ଚକଟନ୍ତୁ। ଏହି ଚକଟାରେ ରୁଟି ବେଲି ଗୋଲ ଆକାରରେ କାଟନ୍ତୁ। ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ଏବେ ପାଣି ଫୁଟିବା ପରେ ରୁଟି ଖଣ୍ଡ ପକାଇ ୧୫ ମିନିଟ ଯାଏଁ ଫୁଟାନ୍ତୁ। କୁକରରୁ ଗ୍ୟାସ ବାହାରିଗଲା ପରେ ଡାଲିକୁ ଚାମଚରେ ଗୋଳାନ୍ତୁ। ଢୋକଲି ନରମ ହେବା ପରେ ଏଥିରେ ଡାଲି ମିଶାଇ ୧୦ ମିନିଟ ଯାଏ ରାନ୍ଧନ୍ତୁ।
ଅନ୍ୟ ଏକ ପ୍ୟାନରେ ତେଲ ଗରମ କରି ଏଥିରେ ଜିରା, ହେଙ୍ଗୁ, ଭୃସଙ୍ଗ ପତ୍ର ପକାଇ ଭାଜନ୍ତୁ। ଏବେ ଏଥିରେ ଟମାଟୋ ଓ କଞ୍ଚା ଲଙ୍କା ପକାଇ ନରମ ହେବା ଯାଏଁ ଫୁଟାନ୍ତୁ। ଟମାଟୋ ନରମ ହେବା ପରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ ଓ ହଳଦୀ ଗୁଣ୍ଡ ମିଶାନ୍ତୁ। ମସଲା ତେଲ ଛାଡ଼ିବା ପରେ ଏହି ଛୁଙ୍କକୁ ଡାଲିରେ ପକାଇ ମିକ୍ସ କରି ୨ ମିନିଟ ରାନ୍ଧନ୍ତୁ। ୨ ମିନିଟ ପରେ ଗ୍ୟାସ ବନ୍ଦ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରାଜସ୍ଥାନୀ ଢୋକଲି। ଏହାକୁ ଗରମ ଗରମ ପରଷନ୍ତୁ।
