ଆମ ରୋଷେଇ- “ମଶରୁମ ବିରିୟାନୀ”
ସାମଗ୍ରୀ :
ବଟନ ମଶରୁମ – ୧୫ ରୁ ୨୦ ଖଣ୍ଡ
ବାସୁମତି ଚାଉଳ – ୧.୫ କପ
ପିଆଜ – ୨ଟି (ମଧ୍ୟମ)
ଅଦା – ୧ ଇଞ୍ଚ
ରସୁଣ – ୫ କୋଲା
କଟା ଧନିଆ ପତ୍ର – ୧/୪ କପ
ପୋଦିନା ପତ୍ର – ୧/୪ କପ
ବିଲାତି – ୨ଟି
ଦହି – ୧ କପ
କେଶର – ଚିମୁଟାଏ
ଲବଙ୍ଗ – ୪ଟି
ତେଜପତ୍ର – ୨ଟି
ଗୁଜୁରାତି – ୨ଟି
ଅଳେଇଚ – ୨ଟି
ଡାଲଚିନି – ୧ ଖଣ୍ଡ
ଜାୟତ୍ରୀ ଫଳ – ୧ଟି
ତେଲ – ୨ ଚାମଚ
ଲଙ୍କା ଗୁଣ୍ଡ – ୨ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ଗୋଲମରିଚ ଗୁଣ୍ଡ – ୧ ଚାମଚ
ଜିରା – ୧/୨ ଚାମଚ
ହଳଦୀ ଗୁଣ୍ଡ – ୧/୨ ଚାମଚ
ଗରମ ମସଲା ଗୁଣ୍ଡ – ୧/୨ ଚାମଚ
ଗୋଲାପ ଜଳ – ୫ ବୁନ୍ଦା
ଲୁଣ – ଆବଶ୍ୟକ ଅନୁଯାଇ
ପ୍ରଣାଳୀ : –
ମଶରୁମକୁ ଧୋଇ କାଟନ୍ତୁ । ବାସୁମତି ଚାଉଳକୁ ଭଲ ଭାବରେ ଧୋଇ ପାଣିରେ ଅଧ ଘଣ୍ଟାଏ ଯାଏଁ ଭିଯାନ୍ତୁ । ବିଲାତି କୁ କାଟି ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।ପିଆଜ କାଟିବା ସହ ଅଦା ଓ ରସୁଣକୁ ବାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦହିକୁ ଛାଣି ଅଲଗା କରି ରଖନ୍ତୁ । ଗୋଟିଏ ବଡ ପାତ୍ରରେ ୪ କପ ପାଣି ଗରମ କରି ସେଥିରେ ତେଜପତ୍ର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଡାଲଚିନି, ଯାଇତ୍ରି ଓ ଲୁଣ ପକାନ୍ତୁ । ପାଣି ଫୁଟିବା ପରେ ସେଥିରେ ଭିଜା ଯାଇଥିବା ଚାଉଳ ପକାନ୍ତୁ । ୮ ରୁ ୧୦ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ଛଣା ସାହାଯ୍ୟରେ ଭାତକୁ ଛାଣି ଦିଅନ୍ତୁ ।
ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ କଟା ପକାଇ ୨ରୁ୩ ମିନିଟ ଯାଏଁ ଭାଜନ୍ତୁ । ଏବେ ଏଥିରେ ଅଦା-ରସୁଣ ପେଷ୍ଟ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପତ୍ର, ଗୋଲ ମରିଚ ଗୁଣ୍ଡ ପକାଇ ଭାଜନ୍ତୁ । ଟିକେ ଭାଜି ହୋଇଯିବା ପରେ ସେଥିରେ ବଟା ହୋଇଥିବା ବିଲାତି ପକାଇ ଭଲ ଭାବରେ କଷି ଦିଅନ୍ତୁ । ମସଲା କଷା ହୋଇଯିବା ପରେ ସେଥିରେ ଦହି, ଗରମ ମସଲା ଗୁଣ୍ଡ , ଅଳ୍ପ ଧନିଆ ଓ ପୋଦିନା ପତ୍ର ପକାନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ମଶରୁମ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୩ ରୁ୪ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଶରୁମ ମସଲା । ଅନ୍ୟ ଏକ ପାତ୍ରରେ କିଛି ଭାତ ରଖି ତା ଉପରେ ମଶରୁମ ରଖି ଏହା ଉପରେ ପୁନର୍ବାର ଭାତ ରଖନ୍ତୁ । ଏବେ ଭାତ ଉପରେ ବାକି ଥିବା କଟା ଧନିଆ ଓ ପୋଦିନା ପତ୍ର ସହ ଅଳ୍ପ ଗୋଲାପ ଜଳ ଓ କେଶର ଛିଞ୍ଚନ୍ତୁ । ଏବେ ଏହାକୁ କଚୁମ୍ବର ସହ ପରସନ୍ତୁ ।
ମଶରୁମ ବିରିୟାନୀ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
