ଫ୍ୟୁଜନ ଚିଲି ଫିଶ
ଯଦି ଆପଣ ସି’ ଫୁଡ଼ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଚିଲି ଫିଶ ଟ୍ରାଏ କରିପାରିବେ। ଏହିକ୍ରମରେ ଟ୍ୟାଙ୍ଗି ଇଣ୍ଡୋ-ଫ୍ୟୁଜନ ଚିଲି ଫିଶ ବେଶ କ୍ରଞ୍ଚି ଓ ସ୍ବାଦିଷ୍ଟ ହୋଇପାରେ। ଏହା ଏକ ଉତ୍ତମ ଆପେଟାଇଜର ବା ସାଇଡ ଡିଶ ହୋଇପାରେ। ଏହି ସ୍ବାଦିଷ୍ଟ ଆପେଟାଇଜର ଆପଣ ଡିନରରେ ବି ସର୍ଭ କରିପାରିବେ। ଚିଲି ଫିଶ ତିଆରି ପାଇଁ ବୋନଲେସ ଫିଶ, ସୋୟା ସସ, ଟମାଟୋ ଓ ଚିଲି ସସ, ଅଦା, ରସୁଣ ସହିତ ମିଶାଇ ଫ୍ରାଏ କରାଯାଏ। ଚାଲନ୍ତୁ ଜାଣିବା ଏହାର ରେସିପି।
ଆବଶ୍ୟକ ସାମଗ୍ରୀ :
୨୫୦ ଗ୍ରାମ ବୋନଲେସ ମାଛ, ଅଧ କପ ମଇଦା, ଅଧ କପ କର୍ଣ୍ଣ ଫ୍ଲୋର, ୧ଚାମଚ ଖାଇବା ସୋଡ଼ା, ୨ଚାମଚ ସୋୟା ସସ, ୨ ଟେବଲସ୍ପୁନ କଟା ଧନିଆ ପତ୍ର, ୧ ଚାମଚ ଗୋଲମରିଚ ଗୁଣ୍ଡ, ଲୁଣ, ତେଲ, ପିଆଜ ଷଣ୍ଢା, ସସ ତିଆରି କରିବା ପାଇଁ ୧ ଟେବଲସ୍ପୁନ କଟା ଅଦା, ୧ ଟେବଲସ୍ପୁନ ଗ୍ରେଟେଡ ରସୁଣ, ୧ ଟେବଲସ୍ପୁନ କଟା କଞ୍ଚା ଲଙ୍କା, ୫ ଟେବଲସ୍ପୁନ ଟମାଟୋ ସସ, ୧ ଟେବଲସ୍ପୁନ ଚିଲି ସସ, ୧ ଟେବଲସ୍ପୁନ କର୍ଣ୍ଣଫ୍ଲୋର।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ମାଛ ଭଲ ଭାବେ ଧୋଇ ଫିଙ୍ଗର ପିସରେ ଭାବେ କାଟନ୍ତୁ। କର୍ଣ୍ଣଫ୍ଲୋର, ମଇଦା, ଖାଇବା ସୋଡ଼ା, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ, ଲୁଣ ଓ ପାଣି ମିଶାଇ ବ୍ୟାଟର ତିଆରି କରନ୍ତୁ। ଫିଙ୍ଗର ଫିଶକୁ ବ୍ୟାଟରରେ ବୁଡ଼ାଇ ତେଲରେ ଗୋଲ୍ଡେନ ବ୍ରାଉନ ହେବା ଯାଏ ଫ୍ରାଏ କରନ୍ତୁ। ଏହାକୁ ପ୍ଲେଟକୁ ବାହାର କରନ୍ତୁ। ସୋୟା ସସ ତିଆରି ପାଇଁ ପ୍ୟାନରେ ତେଲ ଗରମ କରି ଏଥିରେ ରସୁଣ, ଅଦା, ଲଙ୍କା ପକାନ୍ତୁ। ପରେ ଏଥିରେ ସୋୟା ସସ, ଚିଲି ସସ, ଟମାଟୋ ସସ ପକାନ୍ତୁ। ଶେଷରେ କର୍ଣ୍ଣଫ୍ଲୋରରେ ଅଳ୍ପ ପାଣି ମିଶାଇ ପକାନ୍ତୁ। ଏହା ଫୁଟିଲେ, ଏହାକୁ ଆଞ୍ଚରୁ ହଟାନ୍ତୁ। ପରଷିବା ସମୟରେ ଏହି ସସକୁ ଫ୍ରାଏ ମାଛ ଉପରେ ଢାଳନ୍ତୁ। କଟା ପିଆଜ ଷଣ୍ଢାରେ ସଜାଇ ଗରମ ଗରମ ପରଷନ୍ତୁ।
