ଜୋହାନ୍ସବର୍ଗରେ ବିରଳ ବ୍ୟାଟିଂ ମାଇଲଷ୍ଟୋନ ଅପେକ୍ଷାରେ ବିରାଟ
ଜୋହାନ୍ସବର୍ଗ: ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ନୂଆବର୍ଷର ପ୍ରଥମ ଟେଷ୍ଟରେ ଏକ ବିରଳ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ୱାଣ୍ଡରର୍ସରେ ଜାନୁଆରୀ ୩ରୁ ଆରମ୍ଭ ହେବ । କୋହଲି ନିଜର ପୁରୁଣା ବ୍ୟାଟିଂ ଫର୍ମରେ ନଥିଲେ ମଧ୍ୟ ବର୍ଷ ୨୦୨୨ରେ ତାଙ୍କ ବ୍ୟାଟ୍ରୁ ରନ ବର୍ଷା ହେବାନେଇ ଅପେକ୍ଷାରେ କ୍ରିକେଟ ପ୍ରେମୀ ।
ଜୋହାନ୍ସବର୍ଗର ୱାଣ୍ଡରର୍ସରେ ଭ୍ରମଣକାରୀ ବ୍ୟାଟ୍ର ଭାବେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାକୁ ଯାଉଛନ୍ତି ବିରାଟ କୋହଲି । ଏହି ଭେନ୍ୟୁରେ କୋହଲିଙ୍କ ନାମରେ ୨ଟି ମ୍ୟାଚ୍ରୁ ରହିଛି ୩୧୦ ରନ୍ । ତେବେ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାକୁ ବିରାଟ ମାତ୍ର ୭ ରନ୍ ଆବଶ୍ୟକ କରୁଛନ୍ତି । ଏପରି ହେଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ର ଜନ୍ ରେଡ୍ଙ୍କୁ ପଛରେ ପକାଇବେ କୋହଲି । ୨୦୧୩ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ୱାଣ୍ଡରର୍ସରେ ଦମଦାର ଇଂନିସ ଖେଳିଥିଲେ ବିରାଟ । ପ୍ରଥମ ଇଂନିସରେ ୧୧୯ ଓ ଦ୍ବିତୀୟ ଇଂନିସରେ ୯୬ ରନ୍ର ମାରାଥନ ଇଂନିସ ଖେଳିଥିଲେ । ଫଳରେ ଜୋହାନ୍ସବର୍ଗରେ ଭାରତ ମ୍ୟାଚ୍ ଡ୍ର ରଖିବାରେ ସଫଳ ହୋଇଥିଲା । ସେହିପରି ୨୦୧୮ ଗସ୍ତ ସମୟରେ କୋହଲି ପ୍ରଥମ ଇଂନିସରେ ୫୪ ଓ ଦ୍ବିତୀୟ ଇଂନିସରେ ୪୧ ରନ୍ର ଇଂନିସ ଖେଳିଥିଲେ । ଏହି ପ୍ରଦର୍ଶନ ବଳରେ ୱାଣ୍ଡରର୍ସର ଆହ୍ବାନପୂର୍ଣ୍ଣ ପିଚ୍ରେ ବିଜୟ ହାସଲ କରିଥିଲା ଭାରତ ।
ୱାଣ୍ଡରର୍ସ, ଜୋହାନ୍ସବର୍ଗରେ ଭ୍ରମଣକାରୀ ବ୍ୟାଟ୍ର ଭାବେ ସର୍ବାଧିକ ରନ୍ କରିଥିବା ଖେଳାଳି ଜନ୍ ରେଡ୍ – ୩୧୬ (୧୯୬୧-୧୯୬୨ ମଧ୍ୟରେ ୨ଟି ମ୍ୟାଚ୍), ବିରାଟ କୋହଲି – ୩୧୦ (୨୦୧୩-୨୦୧୮ ମଧ୍ୟରେ ୨ଟି ମ୍ୟାଚ୍), ରିକି ପଣ୍ଟିଂ – ୨୬୩ (୨୦୦୨-୨୦୧୧ ମଧ୍ୟରେ ୪ଟି ମ୍ୟାଚ୍), ରାହୁଲ ଦ୍ରାବିଡ – ୨୬୨ (୧୯୯୭ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍), ଡାମିଏନ ମାରିନ- ୨୫୫ (୨୦୦୨ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍) ରହିଛନ୍ତି । ଏଥିସହ ବିରାଟ କୋହଲିଙ୍କ ପାଖରେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ର ହେବାର ସୁଯୋଗ ରହିଛି। ଏହି ତାଲିକାର ପ୍ରଥମରେ ସଚିନ୍ ତେନ୍ଦୁଲକର, ଦ୍ବିତୀୟରେ ଦ୍ରାବିଡ ଓ ତୃତୀୟରେ କୋହଲି ରହିଛନ୍ତି ।
ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ରଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ୧୫ ମ୍ୟାଚରୁ ୧୧୬୧, ରାହୁଲ ଦ୍ରାବିଡ ୧୧ ମ୍ୟାଚରୁ ୬୨୪ ରନ୍ ଓ ବିରାଟ କୋହଲି ୬ ମ୍ୟାଚରୁ ୬୧୧ ରନ୍ ସଂଗ୍ରହ କରିଛନ୍ତି । ସଫଳତମ ଟେଷ୍ଟ କ୍ୟାପଟେନ ତାଲିକାରେ ସାମିଲ ହେବାର କୀର୍ତ୍ତିମାନ ମଧ୍ୟ ବିରାଟ ନିଜ ନାମରେ କରିପାରନ୍ତି । ୬୭ଟି ଟେଷ୍ଟରୁ ୪୦ଟି ମ୍ୟାଚ୍ରେ ବିଜେତା କ୍ୟାପଟେନ ରହିଛନ୍ତି କୋହଲି । ଫଳରେ କ୍ୟାପଟେନ ଭାବେ ଷ୍ଟିଭ ୱ’ଙ୍କ ୪୧ଟି ଟେଷ୍ଟ ବିଜୟ ରେକର୍ଡର ସମକକ୍ଷ ହୋଇପାରନ୍ତି କୋହଲି । ଜୋହାନ୍ସବର୍ଗରେ ଭାରତକୁ ବିଜୟ ମିଳିଲେ ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ତାଲିକାରେ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିପାରନ୍ତି କୋହଲି । କୋହଲି ପ୍ରଥମ ଏସୀୟ କ୍ୟାପଟେନ ଭାବେ ସେଞ୍ଚୁରିଅନରେ ଟେଷ୍ଟ ମ୍ୟାଚ୍ ବିଜେତା କ୍ୟାପଟେନ ହୋଇଛନ୍ତି । ଅନ୍ୟପଟେ ଯଦି ଟିମ ଇଣ୍ଡିଆ ଜୋହାନ୍ସବର୍ଗରେ ନିଜର ଅପରାଜେୟ ରେକର୍ଡ ବଜାୟ ରଖିବା ସହ ବିଜୟୀ ହୁଏ, ତେବେ ପ୍ରଥମ ଭାରତୀୟ କ୍ୟାପଟେନ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜେତା କ୍ୟାପଟେନ ହେବାର ରେକର୍ଡ କରିବେ ।
