ରାଜକନିକାରେ ପୋଲିସ-ଜନତା ମୁହାଁମୁହିଁ
- ବ୍ୟାପକ ଭଙ୍ଗାରୁଜା, ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୋଲିସ ମୁତୟନ
- ଆମ୍ବୁଲାନ୍ସ ଭାଙ୍ଗିବା ସହ ଟ୍ୟାଙ୍କର କଣା କରି ତେଲ ଖାଲି କରିଦେଲେ
- ଆହୁରି ତୀବ୍ର ହେଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ
ରାଜକନିକା : କେନ୍ଦ୍ରାପଡା ଖରସ୍ରୋତାରୁ ଭଦ୍ରକକୁ ପାଣିଦେବାକୁ ବିରୋଧ ବଢିବାରେ ଲାଗିଛି । କେନ୍ଦ୍ରପଡାର ବରୁଣାଡିହରେ ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତା ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପ୍ରକଳ୍ପ କାମ ଚାଲିଥିବା ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମେଗା ଜଳ ପ୍ରକଳ୍ପର କାମକୁ ବିରୋଧ କରି କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ଏଣେ ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୁଲିସକୁ ମୁତୟନ କରିଛି ପ୍ରଶାସନ। ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କଂପାନିର ବିଭିନ୍ନ ଯନ୍ତ୍ରପାତି ଏପରିକି ଆମ୍ବୁଲାନ୍ସକୁ ବି ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ଜଣାଯାଇଛି। ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ପ୍ରଶାସନ ଯେତେ ଉଦ୍ୟମ କଲେ ବି ତାହା ସଫଳ ହେଉନାହିଁ। ଗତକାଲି ପ୍ରଶାସନ ପକ୍ଷରୁ ପୁଣି ଥରେ ସଂଗ୍ରାମ ସମିତି କର୍ମକର୍ତାଙ୍କ ସହିତ ସଂଧ୍ୟାରେ ବୈଠକ ହୋଇଥିଲା। ରାଜକନିକା ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ରାଜକନିକା ବିଡିଓ, ତହସିଲଦାରଙ୍କ ସମେତ ଦୁଇ ସମିତି ପକ୍ଷରୁ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଦୋଳଗୋବିନ୍ଦ ନାୟକ, ସଭାପତି ଦୁର୍ଯୋଧନ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆନ୍ଦୋଳନ ବନ୍ଦ କରି ଆମକୁ ସହଯୋଗ କରିବାକୁ ପ୍ରଶାସନ ପ୍ରସ୍ତାବ ଦେଇଥିବା ବେଳେ ସଂଗ୍ରାମ ସମିତି ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ। ପ୍ରକଳ୍ପ ବନ୍ଦ ନ ହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସମିତିର କର୍ମକର୍ତ୍ତାମାନେ ରୋକଠୋକ୍ ଶୁଣାଇ ଦେଇଥିବାରୁ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ସଂଗ୍ରାମ ସମିତି ବୈଠକରେ ଆଜି ଠାରୁ ମହାସଂଗ୍ରାମ ପାଇଁ ନିଷ୍ପତ୍ତି ହୋଇଛି। ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମହାସଂଗ୍ରାମର ରୂପରେଖ କ’ଣ ହେବ, ସେ ସଂପର୍କରେ ନିଷ୍ପତ୍ତି ନେବା ଲାଗି ସକାଳ ୯ଟାରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ବାନ ଦିଆଯାଇଥିଲା। ଆଜି ସକାଳୁ ହଜାରହଜାର ଲୋକ ଏକତ୍ରିତ ହୋଇଥିବାର ପରିଲକ୍ଷିତ ହୋଇଛି।
ସୂଚନା ଯେ, ଗତ ୧୦ ତାରିଖରେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିକ୍ଷୋଭ କରୁଥିବା କିଛି ନେତା ଙ୍କୁ ପୋଲିସ ଉଠାଇ ନେଇଥିଲା । ସେହି ଦିନ ସନ୍ଧ୍ୟାରେ ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ରୋକ କରିବା ପରେ ପୋଲିସ ପୂର୍ବତନ ଦୁଇ ବିଧାୟକ ଓ ଅନ୍ୟ କର୍ମକତ୍ତାଙ୍କୁ ଛାଡି ଥିଲା । ତେବେ ଗତକାଲି ଖରସ୍ରୋତା ବଞ୍ଚାଓ ସଙ୍ଘର ସମନ୍ୱୟ ବୈଠକ ପରେ ଆଜି ଆହୁରି ଦୃଢ଼ ବିରୋଧ କରାଯାଇଛି ।
