ଆଜିଠୁ ବଢ଼ିବ ବର୍ଷା, ୧୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
୪ ଦିନ ଯାଏଁ ପ୍ରବଳ ଛେଚିବ, ୨୬ରୁ ପାଗ ଶୁଖିଲା
ନଦୀରେ ଜଳସ୍ତର ବୃଦ୍ଧି ନେଇ ଜିଲାପାଳ ମାନଙ୍କୁ ସତର୍କ
ଭୁବନେଶ୍ୱର : ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ । ଶୁକ୍ରବାର ଓଡ଼ିଶା ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆଜିଠୁ ବର୍ଷା ପରିମାଣ ବଢ଼ିବ । ଆଗାମୀ ୪ ଦିନ ଯାଏଁ ପ୍ରବଳ ଛେଚିବ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ଏନେଇ ବିଭିନ୍ନ ଜିଲାକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥି ସହିତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ନେଇ ଜିଲାପାଳ ମାନଙ୍କୁ ସତର୍କ କରାଯାଇଛି। ସେହିପରି ଅତି ପ୍ରବଳ ବର୍ଷା ଦ୍ବାରା ପାହାଡରୁ ମାଟି ଅତଡା ଧସିବା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ଉପୁଜିବା, କଚ୍ଚା ରାସ୍ତା ଧୋଇଯିବା, ମାଟିଘର କାନ୍ଥ ଭାଙ୍ଗିବା, ଡ୍ରେନରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା, ଟ୍ରାଫିକ ଭିଡର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ କରାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଆସନ୍ତା ୨୬ରୁ ମୌସୁମୀ ଦୁର୍ବଳ ହେବା ଦ୍ବାରା ପାଗ ଶୁଖିଲା ରହିବ।
ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ବିଶେଷ କରି ଉପକୂଳ ଓ ଅଭ୍ୟନ୍ତରିଣ ଓଡ଼ିଶାରେ ବଜ୍ରପାତ ସହ ବର୍ଷିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ସେ ଜିଲାଗୁଡ଼ିକ ହେଲେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସମେତ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ ତାରିଖରେ ଗଞ୍ଜାମ,ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ପାଣିପାଗ ବିଭାଗ । ଏହି ଦିନରେ ୟେଲୋ ୱାର୍ଣ୍ଣିଂରେ ରହିଛନ୍ତି କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ଖୋର୍ଦ୍ଧା, ପୁରୀ, କଟକ ସମେତ ଅନୁଗୁଳ, ସୋନପୁର, ସମ୍ବଲପୁର, ନୟାଗଡ ଏବଂ ଜଗତସିଂହପୁର । ତେବେ ୨୩ ତାରିଖରୁ ଧିରେ ଧିରେ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ୨୪ ତାରିଖରୁ ୫ଟି ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲା ପାଇଁ ପାଣିପାଗ ବିଭିାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୫ ତାରିଖ ଦିନ ପାଇଁ ମୋଟ ୭ଟି ଜିଲାରେ ସ୍ୱଳ୍ପ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।
ପାଣିପାଗ ବିଭାଗର ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବେଗୁନିଆରେ ସର୍ବାଧିକ ବର୍ଷା ୫୦ ମିମି, କୋରାପୁଟର ଶିମିଳିଗୁଡାରେ ୪୧ ମିମି ଏବଂ ନିଶ୍ଚିନ୍ତକୋଇଲିରେ ୩୭ମିମି ବର୍ଷା ହୋଇଛି। ଗୁରୁବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ଢେଙ୍କାନାଳରେ ସବୁଠୁ ଅଧିକ ୨୮.୬ମିମି ବର୍ଷା ରେକର୍ଡ ହୋଇଛି। ଏଥିସହିତ ତାଳଚେର, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ଦାରିଙ୍ଗବାଡି, ପାରଳାଖେମୁଣ୍ଡି, ବରଗଡ, ନବରଙ୍ଗପୁର, ଝାରସୁଗୁଡା, କେନ୍ଦୁଝର, ବାରିପଦା ଏବଂ ଅନୁଗୋଳର ସ୍ଥାନେ ସ୍ଥାନେ ବର୍ଷା ହୋଇଛି।
