ରାଜ୍ୟ ସରକାର ଓ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର : ଉତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ ସଂପତି ମୁଦ୍ରିକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତିର ବୃତିଗତ ଆର୍ôଥକ ପରିଚାଳନା ତଥା ରାଜ୍ୟର ଆର୍ôଥକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।
ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ ଅଚଳ ସଂପତିଗୁଡ଼ିକର ମୁଦ୍ରିକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍ସି ବୈଷୟିକ ଓ ବୃତିଗତ ସହାୟତା ଯୋଗାଇବ । ଏହା ରାଜ୍ୟର ଶିଳ୍ପ ଭିତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ । ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତିଭୂମି ବିକାଶ ପାଇଁ ଆର୍ôଥକ ବ୍ୟବଧାନ ଦୂର କରିବ । ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ ସଚିବ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
