ଅସ୍ଥାୟୀ ରୂପେ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ । ଅସ୍ଥାୟୀ ରୂପେ ରାହୁଲଙ୍କ ଆକାଉଣ୍ଟ ସସ୍ପେଣ୍ଡ କରିଛି ଟ୍ୱିଟର। ଏହାକୁ ଚାଲୁ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ପଛର କାରଣ ଅସ୍ପଷ୍ଟ ରହିଛି। ଦିଲ୍ଲୀର ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରୁଥିବା ଫଟୋ ପୋଷ୍ଟ ପାଇଁ ଟ୍ବିଟ୍ର ଏହି ପଦକ୍ଷେପ ଗ୍ରହଣ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି। କଂଗ୍ରେସ ଦଳର ଟ୍ୱିଟର ହ୍ୟାଣ୍ଡେଲ୍ରେ ଉଲ୍ଲେଖ କରାଯାଇଛି, ‘ରାହୁଲ ଗାନ୍ଧିଙ୍କ ଟ୍ୱିଟର ହ୍ୟାଣ୍ଡେଲ ଅସ୍ଥାୟୀ ରୂପେ ସସପେଣ୍ଡ କରାଯାଇଛି। ଏହାକୁ ପୁଣି ଥରେ ଫେରି ପାଇବାକୁ ସମସ୍ତ ପ୍ରକ୍ରିୟାର ପାଳନ କରାଯାଉଛି। ସେପର୍ଯ୍ୟନ୍ତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସେ ଆପଣଙ୍କ ସହ ସମ୍ପର୍କରେ ରହିବେ ଏବଂ ସେମାନଙ୍କ ପାଇଁ ଲଢ଼ିବା ଜାରି ରଖିବେ।’
The account has been temporarily locked. https://t.co/MYqpC8OeIb
— Congress (@INCIndia) August 7, 2021
ସୂଚନା ଯେ, ଦିଲ୍ଲୀର ନାଙ୍ଗଲ ଅଞ୍ଚଳରେ ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାହୁଲ ଗାନ୍ଧି ବୁଧବାର ତାଙ୍କ ଟ୍ୱିଟରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାଦ୍ୱାରା ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ ହୋଇଥିଲା। ଏହା ପରେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ଏନେଇ ଟ୍ୱିଟରକୁ ନୋଟିସ୍ କରିଥିଲେ। ରାହୁଲ ଗାନ୍ଧି ସେୟାର କରିଥିବା ଫଟୋ ଡିଲିଟ୍ କରିବାକୁ ଆୟୋଗ ଟ୍ୱିଟରକୁ ନୋଟିସ ଜାରି କରିଥିଲେ। ଏହି କାରଣରୁ ଟ୍ୱିଟର ରାହୁଲଙ୍କ ଉକ୍ତ ଟ୍ୱିଟକୁ ହଟାଇ ଦେଇଥିଲା। ଏହାପରେ ରାହୁଲଙ୍କ ଆକାଉଣ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ସସପେଣ୍ଡ କରି ଦେଇଛି।
