ନାସିକରେ ୩୦% ଡେଲଟା ଭାରିଏଂଟ ମିଳିବା ଯୋଗୁ ପ୍ରଶାସନ ସତର୍କ
ମୁମ୍ବାଇ : ନାସିକ୍ ଜିଲ୍ଲାରେ ଡେଲଟା ପ୍ରକାରର ୩୦ ସଂକ୍ରମିତ ମାମଲା ମିଳିବା ପରେ ପ୍ରଶାସନ ସତର୍କ ହୋଇଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ସୁରଜ ମାଦ୍ରେ ଏହି ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ନାଗରିକଙ୍କୁ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିବେଦନ କରିଛନ୍ତି । ନାସିକ୍ ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. କିଶୋର ଶ୍ରୀନିବାସଙ୍କ କହିବା ଅନୁଯାୟୀ, କରୋନା ସଂକ୍ରମିତ ଙ୍କ ସ୍ୱାବ ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ଉପାୟରେ ଗତ ୧୫ ଦିନ ମଧ୍ୟରେ ପଠାଯାଇଥିବା ୧୫୫ ସ୍ୱାବ୍ ମଧ୍ୟରୁ ୩୦ଟି ସ୍ୱାବରେ ଡେଲଟା ଭାରିଏଂଟ ସଂକ୍ରମଣ ଦେଖିବାକୁ ମିଳିଛି । ଏହି ସଂକ୍ରମିତ ମାନଙ୍କରେ କରୋନା ଜୀବାଣୁ ଏକ ଡେଲଟା ପ୍ରକାର ଭାବରେ ବଦଳିଛି । ଏହି ୩୦ ଜଣଙ୍କ ମଧ୍ୟରୁ ୨ ଜଣ ନାସିକ୍ ସହରର ଏବଂ ୨୮ ଜଣ ନାସିକ୍ ଗ୍ରାମାଂଚଳର । ଏହି ସମସ୍ତ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅନୁସନ୍ଧାନ କରାଯାଉଛି ।
ଜିଲ୍ଲା ଅଧିକାରୀ ସୁରଜ ମାଦ୍ରେ କହିଛନ୍ତି ଯେ, ନାସିକ ଜିଲ୍ଲାରେ ଡେଲଟା ପ୍ରକାର ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ସତର୍କତାର ସହ ତଦନ୍ତ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ, ଡେଲଟା ଭାରିଏଂଟ ଡେଲଟା ପ୍ଲସ ଭଳି ବିପଦଜନକ ନୁହେଁ, ତେଣୁ ଲୋକମାନେ ଭୟଭୀତ ହେବା ଆବଶ୍ୟକ ନାହିଁ । ଏହାର ସଂକ୍ରମଣକୁ ରୋକିବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି ।
